ପ୍ରବଳ ବର୍ଷାରେ ସମଗ୍ର କନ୍ଧମାଳ ଜିଲା ଉବୁଟୁବୁ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇ ଦିନର ବିରତି ପରେ ଗତ ରାତିରୁ ପୁଣି ଆରମ୍ଭ ହୋଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ସମଗ୍ର କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା, ଘର କାନ୍ଥ ଭାଙ୍ଗିଯିବା ଭଳି ଘଟଣା ଖବର ମିଳିଛି। ଅନେକ ତଳିଆ ଅଞ୍ଚଳରେ ଲୋକଙ୍କ ଘର ଭିତରକୁ ପାଣି ପଶିଯିବା ବି ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଫୁଲବାଣୀରେ ପ୍ରବଳ ପବନ ସାଙ୍ଗକୁ ନିର୍ଧୁମ ବର୍ଷା ହୋଇଥିଲା। ଏହି କାରଣରୁ ଅନେକ ଗଛ ଉପୁଡି ପଡିଥିଲା। ମାଦିକୁନ୍ଦା ଛକ ନିକଟରେ ଏକ ବିରାଟ ଗଛ ଭାଙ୍ଗି ପଡିବାରୁ ପାଞ୍ଚଟି ଘର କ୍ଷତିଗ୍ରସ୍ତ ହୋଇଛି। ମୂଖ୍ୟ ରାସ୍ତା ଉପରେ ଗଛ ପଡିଥିବାରୁ ଏହି ରାସ୍ତା ଦେଇ ଦୀର୍ଘ ସମୟ ପାଇଁ ଯାତାୟତ ବ୍ୟାହତ ହୋଇଥିଲା। ଏଥିସହ ବିଦ୍ୟୁତ ତାର ଛିଡି ଯିବାରୁ ଦୀର୍ଘ ୧୦ ଘଣ୍ଟା ଧରି ସମଗ୍ର ଫୁଲବାଣୀ ସହରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା। ସହରର ଅନ୍ୟ ଚାରି ପାଞ୍ଚଟି ସ୍ଥାନରେ ବି ଗଛ ପଡିଥିବା ଦେଖିବାକୁ ମିଳି। ପିଲାସାଲୁଙ୍କି ନଦୀରେ ପ୍ରବଳ ବର୍ଷା ଜଳ ଆସି ଡାକପାଲା ବ୍ରିଜ ଉପରେ ତିନି ଫୁଟ ଉଚ୍ଚରେ ପ୍ରବାହିତ ହେବାରୁ ଫୁଲବାଣୀ ମ୍ୟୁନିସିପାଲିଟି ୨ ନଂ ୱାର୍ଡର ଡାମିଗାଁ, ଡାକପାଲା ସମେତ ଆଲାମୀ ପଞ୍ଚାୟତର କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି କୁମ୍ଭାରପଡା ନାଳରେ ପାଣି ଆସି ୧୦ ନଂ ୱାର୍ଡର ଅନେକ ଅଞ୍ଚଳ ସହରରୁ ବିଚ୍ଛିନ୍ନ ହୋଇପଡିଛି। ପୌରାଞ୍ଚଳର ଅନେକ ସ୍ଥାନରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ନଦୀଖଣ୍ଡି ସାହି, ଢିପାସାହି, ମାଷ୍ଟରପଡାର ଅନେକ ଲୋକଙ୍କ ଘର ଭିତରେ ପାଣି ପଶିଥିବା ବି ଖବର ମିଳିଛି। ଚକାପାଦ ବ୍ଲକ ପୋଡାମାହା ଘାଟିରେ ମାଟି ଅତଡା ଧସିବାରୁ ଚକାପାଦ, ଟିକାବାଲି ଆଦି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାଇକିଆ ବ୍ଲକ କରଡା ଘାଟିରେ ପଥର ଖସିବାରୁ ବିଭିନ୍ନ ଅଞ୍ଚଳକୁ ଯାତାୟତ ବନ୍ଦ ରହିଛି। ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ସର୍ବାଧିକ୮୮.୪ ମିମି ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ୮୭.୬ ଓ କ.ନୂଆଗାଁ ରେ ୮୩.୨ ମିମି ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ଜିଲାରେ ମୋଟ ୫୧୮.୨ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଓ ପବନ ଯୋଗୁଁ ଆଜି ସୁଦ୍ଧା ଜିଲାରେ ୩୮୦ଟି ଘର ଭାଙ୍ଗିଥିବା ଜିଲା ଆପଦକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ସୂଚନା ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଅଗ୍ନିଶମ ବାହିନୀ ଓ ବିଭାଗୀୟ କର୍ମଚାରୀଙ୍କ ସହଯୋଗରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଥିବା ଶ୍ରୀ ମଣ୍ଡଳ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ