ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ୨୦୦୫ମସିହାରୁ ଏନ.ଆର.ଏଚ.ଏମ. ଗଠନ କରାଯାଇ ଦେଶ ବ୍ୟାପି ମା’ ଓ ଶିଶୁଙ୍କର ଯତ୍ନ ନେବା ସହିତ ମୃତ୍ୟୁହାର କମାଇବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କଲେ । ଏହି ଯୋଜନାର ଶେଷ କର୍ମଚାରୀ ଭାବେ ଆଶାକର୍ମୀଙ୍କୁ ନିଯୁକ୍ତି ପ୍ରଦାନ କଲେ । ମା’ ଓ ଶିଶୁ ମୃତ୍ୟୁହାର କମାଇବା ସହ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ନିଜ ପରିବାରକୁ ପଛରେ ପକାଇ ଦେଶର ସ୍ୱାସ୍ଥ୍ୟ ସେବାରେ ଆଶାକର୍ମୀମାନେ ଉନ୍ନତି ଆଣିଲେ । ମାତ୍ର ପରେ ଏନ.ଏଚ.ଏମ.ରେ ରୂପାନ୍ତରିତ ହୋଇ ମା’ ଓ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ସହିତ ଫାଇଲେରିଆ, ମିଳିମିଳା, କୁଷ୍ଠ, ଯକ୍ଷ୍ମା, ପୋଲିଓ, ଏଡ୍‌ସ, ବାଳିକା ସଚେତନତା କାର୍ଯ୍ୟକ୍ରମ ଆଦି ସମସ୍ତ ରୋଗର ସଚେତନତାର ଦାୟୀତ୍ୱ ଆଶାକର୍ମୀଙ୍କ ଉପରେ ନ୍ୟସ୍ତ ରହିଛି । କୋଭିଡ-୧୯ ମହାମାରୀକୁ ପ୍ରତିହତ କରିବା ପାଇଁ ଆଶାକର୍ମୀମାନେ ବଜ୍ର ଶପଥ ନେଲେ । ଆଶାକର୍ମୀଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କରାଯିବା, ପ୍ରତି ଗ୍ରାମରେ ଆଶା ଗୃହ ନିର୍ମାଣ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ସର୍ବନିମ୍ନ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବା, ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତାକୁ ଭିତ୍ତିକରି ପଦୋନ୍ନତି ପ୍ରଦାନ, ୬୨ବର୍ଷରେ ଅବସର ପରେ ପେନସନ ପ୍ରଦାନ, ବନ୍ୟା ସମୟରେ ଡ୍ୟୁଟି କରୁଥିବା ଆଶାକର୍ମୀଙ୍କୁ ପାରିଶ୍ରମିକ ପ୍ରଦାନ, ପ୍ରତିମାସର ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ, ସେକ୍ଟର ବୈଠକରେ ପ୍ରାପ୍ୟ ସମ୍ପର୍କରେ ସୂଚନା ପ୍ରଦାନ, କରୋନା ପ୍ରାପ୍ୟ ୬ମାସର ଦରମା ପ୍ରଦାନ, ସରକାର ଘୋଷଣା କରିଥିବା ଏକହଜାର ଟଙ୍କା ପ୍ରଦାନ, ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, ମାସିକ ୨୬ହଜାର ଟଙ୍କା ଦରମା, ମୋବାଇଲ ସେଟ ପ୍ରଦାନ ସମେତ ଆଶାକର୍ମୀଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଭୃତି ଦାବି ଗୁଡିକ ରହିଛି । ଦାବିପତ୍ର ପ୍ରଦାନ ସମୟରେ ସରସ୍ୱତୀ ସ୍ୱାଇଁ, ସ୍ନେହଲତା ପ୍ରଧାନ, ନନ୍ଦିନୀ ସ୍ୱାଇଁ, ମମତା ବେହେରା, ଶୁକାନ୍ତି ସେଠୀ, ଆଇ.ଏନ.ଟି.ୟୁ.ସି. ନେତା ରମଣୀରଞ୍ଜନ ରାଉତରାୟ, ଭଜହରି ପ୍ରଧାନ, ଭଗବତୀ ନାୟକ, ନମିତା ବାରିକ, କୈଳାସ ବାରିକ, ରତ୍ନମଞ୍ଜରୀ, ପ୍ରୟଦର୍ଶିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ