ଚୋରକୁ ଧରି ପୁଲିସ ନିକଟରେ ଜିମା ଦେଲେ ଗ୍ରାମବାସୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ବ୍ଲକଛକ ନିକଟରେ ଥିବା ଶିକ୍ଷକ ପ୍ରଫୁଲ ଜେନାଙ୍କ ଘରୁ ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକକୁ ଧରି ଘରମାଲିକ ପୁଲିସ ଜିମା ଦେଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ଶନିବାର ଥିବାରୁ ପ୍ରଫୁଲ ଓ ତାଙ୍କ ପତ୍ନୀ ଘରେ ଚାବି ପକାଇଦେଇ ସ୍କୁଲକୁ ପଳାଇଥିଲେ । ପ୍ରଫୁଲ ଦିନ ଗୋଟାଏ ବେଳେ ସ୍କୁଲରୁ ଆସି ଘର ଭିତରକୁ ପସିବାବେଳେ ଠକ ଠକ ଶବ୍ଦ ଶୁଣି ପଛପଟକୁ ଗଲାବେଳେକୁ ଜଣେ ଯୁବକ ଏକ ସିଡି ପକାଇ ପଛପାଖ ଝରକାକୁ ତାଡିବାକୁ ଉଦ୍ୟମ କରୁଥିବା ଦେଖିବା ପରେ ପାଟିକରିବାରୁ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଚୋରକୁ କାବୁ କରିନେଇଥିଲେ । ଚୋରର ନାମ ରାଜୁ ଶେଖ ଓ ତା ଘର ମୁର୍ସିଦାବାଦ ଅଞ୍ଚଳରେ ହୋଇଥିବା ବେଳେ ଏବଂ ସେ ବସନ୍ତିଆରେ ରହି ରାଜମିସ୍ତ୍ରୀ କାମ କରେ ବୋଲି କହିଛି । ସେ ଏକା ନୁହଁ ତା ସହିତ ଅନ୍ୟକେହି ଯୁବକ ଆସିଥିବା ସନ୍ଦେହ କରାଯାଉଛି । ପୁଲିସ ଅଭିଯୁକ୍ତକୁ ଥାନାକୁ ନେଇ ଅଧିକ ପଚରା ଉଚୁରା ଚଳାଇଛି । ଏ ଅଞ୍ଚଳରେ ଗତ କିଛିଦିନ ହେଲା ଚୋରମାନେ ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀକରି ନେଇଥିବାବେଳେ ପୁଲିସ ସାମନ୍ୟତମ ସୁରାକ ପାଇପାରି ନାହିଁ । ଦିନ ଦ୍ୱିପହରେ ଛେନାପଦିଛକରେ ସୁନା ଅଳଙ୍କାର ଦୋକାନରୁ ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ, ଗତ ୮ଦିନ ତଳେ ଶାଳଣିଆଁ ବଜାରରୁ ଦୁଇଟି ଦୋକାନରୁ ଚୋରୀ, ଗତ ୬ଦିନ ତଳେ ଜଗନ୍ନାଥପୁର ଗ୍ରାମରୁ ଚୋରୀ ଓ ୪ଦିନ ତଳେ ଛେନାପଦି-ସୁଲଣ ରାସ୍ତାରେ ଜୈନିକ ବ୍ୟକ୍ତିଙ୍କ ଘରୁ ଦିନଦ୍ୱିପହରେ ଲୁଟ ଭଳି ଘଟଣା ପୁଲିସ ଆଖିରୁ ନିଦ ହଜାଇ ଦେଇଛି । ପୁଲିସ ଏହି ଲୁଟେରାଙ୍କ ସମ୍ପର୍କରେ ସାମନ୍ୟତମ ସୁଚନା ପାଇବାରେ ବିଫଳ ହୋଇଛି । ପଶ୍ଚିମବଙ୍ଗରୁ ବହୁ ସଂଖ୍ୟକ ଲୋକ ଆସି ଏହି ଅଞ୍ଚଳରେ ରହି କାମ କରୁଥିବାବେଳେ ସେମାନଙ୍କ ସମ୍ପର୍କରେ ପୁଲିସରେ କୌଣସି ସୁଚନା ରହୁନଥିବାରୁ ସେମାନେ ଅନେକ ଅପରାଧରେ ଜଡିତ ରହୁଥିବା ଶୁଣିବାକୁ ମିଳୁଛି । ଏଥିପାଇଁ ପୁଲିସ ପକ୍ଷରୁ ସତର୍କତା ମୁଳକ ପଦକ୍ଷେପ ନେବାକୁ ଦାବି ହେଉଛି ।


