ରେମୁଣା ପତୁକାଶାସନରେ ବୁଢ଼ାବଳଙ୍ଗ ନଦୀବନ୍ଧର ପଥର ପ୍ୟାକିଂ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେଡି ଏସି ସେଲର ଜିଲା ସଭାପତି ପ୍ରଫେସର ଶତ୍ରୁଘ୍ନ ମଲିକ ରେମୁଣା ବ୍ଲକର ଗଣ୍ଡର୍ଦ୍ଦା ପଞ୍ଚାୟତକୁ ଯାଇ ବୁଢ଼ାବଳଙ୍ଗ ନଦୀର ଦୁର୍ବଳବନ୍ଧ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବିଶେଷ କରି ଏହି ପଞ୍ଚାୟତର ପତୁକାଶାସନ ଦେଇ ଯାଇଥିବା ବୁଢ଼ାବଳଙ୍ଗ ନଦୀର ଦୁର୍ବଳ ବନ୍ଧର ବିପଦପୂର୍ଣର୍ ସ୍ଥାନକୁ ଯାଇ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଏହାର ସ୍ଥାୟୀ ପ୍ରତିକାର ବାବଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ୨୦୦୮ ମସିହାରୁ ନଦୀବନ୍ଧ ଦୁର୍ବଳ ହେବା ସହ ବନ୍ୟା ସମୟରେ ଅତଡ଼ା ଖସି ଚାଲିଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । ତେବେ ୨୦୧୩ ମସିହାର ଫାଇଲିନ ପ୍ରଭାବ ଜନିତ ବନ୍ୟାରେ ହୋଇଥିବା ଅଧିକ କ୍ଷତି ତଥା ଗ୍ରାମବାସୀଙ୍କ ବାରମ୍ବାର ଦାବି ଫଳରେ ନଦୀବନ୍ଧର କିଛିଅଂଶରେ ପଥର ପ୍ୟାଙ୍କି ଓ ବାକି ସ୍ଥାନରେ ବାଲିବସ୍ତା ଦିଆଯାଇଥିଲା । ଗତ ବନ୍ୟାରେ ମଧ୍ୟ ବନ୍ଧର ବିଭିନ୍ନ ସ୍ଥାନ ଧୋଇ ଯାଇଥିବା ଗ୍ରାମବାସୀମାନେ କହିଛନ୍ତି । ପ୍ରଫେସର ମଲିକ ବୁଢ଼ାବଳଙ୍ଗ ନଦୀବନ୍ଧ ବୁଲି ଦେଖିବା ପହ ପଥର ପ୍ୟାକିଂର ଆବଶ୍ୟକତା ଅନୁଭବ କରିଛନ୍ତି । ଗଣ୍ଡର୍ଦ୍ଦା ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀବନ୍ଧ ସୁରକ୍ଷା ଓ ପଥର ପ୍ୟାକିଂ ନେଇ ସେ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି । ନଦୀବନ୍ଧ ପରିଦର୍ଶନ ବେଳେ ପ୍ରଫେସର ମଲିକଙ୍କ ସହ ଜୟକୃଷ୍ଣ ବେହେରା, ରାମଚନ୍ଦ୍ର ଓଝା, ମହେନ୍ଦ୍ର ମହାନ୍ତି, ମାଧବ ଚନ୍ଦ୍ର ସାହୁ, ପୁରସ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


