ଘୋଡାହାଡ ଇକୋ ଟୁରିଜିମ ପ୍ରକଳ୍ପ ଉଦଘାଟିତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ନିକଟ ଘୋଡାହାଡ ଡ଼୍ୟାମ ଠାରେ ଶୁକ୍ରବାର ଇକୋ ଟୁରିଜିମ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ବନ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ବନପ୍ରାଣୀ ବନ ସଂରକ୍ଷକ ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଏବଂ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗଦେଇଥିଲେ। ବ୍ରହ୍ମପୁର ବନଖଣ୍ଡ ଅଧିନରେ ଏହା ପ୍ରଥମ ଇକୋ ଟୁରିଜିମ ପ୍ରକଳ୍ପ ହୋଇଥିବା ବେଳେ ଏହା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗବେଷଣାରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ। ସେହିପରି ଏହି ଜଳ ଭଣ୍ଡାର କୁମ୍ଭୀର ମାନଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଯାହା ଏହି ଜଳ ଭଣ୍ଡାରର ଶୋଭାକୁ ବୃଦ୍ଧି କରିଥାଏ, ତେଣୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହା ଏକ ଉତ୍କୃଷ୍ଟ କ୍ଷେତ୍ର ପାଲଟିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ। ସେହିପରି ବର୍ତ୍ତମାନ ଏହିଠାରେ ଥିବା ୱାର୍ଚ୍ଚ ଟାୱାରରେ ୪ ଟି ସୁଟ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଛି। ମିଶନ ଶକ୍ତି ତରଫରୁ ସ୍ଥାନୀୟ ଖମାରି ଗାଁ ଗ୍ରାମପଞ୍ଚାୟତର ମା ‘ବାଙ୍କେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ତାହାର ପରିଚାଳନା ଦାୟିତ୍ୱ ମିଳିଥିବା ବେଳେ ପୂର୍ବରୁ ମହିଳା ଗୋଷ୍ଠୀ ର ସଦସ୍ୟା ମାନେ ଭୂବନେଶ୍ୱର ସ୍ଥିତ ଆଇଏଚଏମ ଅନୁଷ୍ଠାନରେ ଇଣ୍ଡିଆନ, ଚାଇନିଜ ଏବଂ କଣ୍ଟିନେଣ୍ଟାଲ ଖାଦ୍ୟ କିପରି ପ୍ରସ୍ତୁତ କରାଯିବ ସେ ନେଇ ପ୍ରଶିକ୍ଷଣ ନେଇଥିବା ସଂଘର ସଭାନେତ୍ରୀ ମୀରାବାଇ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ୪୫ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ  ଗୋଟିଏ ୱାଚ ଟାୱାର ନିର୍ମିତ ହୋଇଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଉତ୍ସାହକୁ ଦେଖି ସେମାନଙ୍କ ରହିବା ପାଇଁ ସୁବିଧା ଏବଂ କଟେଜ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଥିଲେ। ବ୍ରହ୍ମପୁର ସର୍କଲର ସମସ୍ତ ବନାଞ୍ଚଳ ଅଧିକାରୀ, ଅତିରିକ୍ତ ବନସଂରକ୍ଷକ, ବ୍ରହ୍ମପୁର ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଏବଂ ବନ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜିବ କୁମାର ଦାଶବର୍ମା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଏ ଗୋପାଳ ରାଓ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ଦିଗପହଣ୍ଡି ବ୍ଲକ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡଙ୍କ ସମେତ ବହୁ ଅଧିକାରୀ ଓ ଆଖପାଖ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ