କୂଅରେ ପଡି ଶିଶୁକନ୍ୟା ମୃତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ତାଳପଡା ଗ୍ରାମରେ ପାୟଲ ନାମକ ଏକ ୪ ବର୍ଷ ବୟସର ଶିଶୁକନ୍ଯା ଅସାବଧାନତା କାରଣରୁ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି।ଶିଶୁଟିର ବାପା ହରିଶ୍ଚନ୍ଦ୍ର ପାଇକଙ୍କ ପୂର୍ବରୁ ଦେହାନ୍ତ ହୋଇ ସାରିଥିବା ବେଳେ ଶିଶୁଟି ମା’ଙ୍କ ପାଖରେ ରହି ଆସୁଥିଲା।ଶୁକ୍ରବାର ବୁଢ଼ୀମା’ଙ୍କ ପାଖରେ ଶିଶୁଟିକୁ ଛାଡି ଶିଶୁର ମା’ ଚାଷ ଜମି କୁ କାମ କରିବାକୁ ଚାଲି ଯାଇଥିଲେ। ଅପରାହ୍ନ ପ୍ରାୟ ୪ ଟା ରେ ବୁଢୀମା’ଙ୍କ ଅଜାଣତରେ ଶିଶୁଟି ଘର ନିକଟସ୍ଥ ଏକ କୂଅରେ ପଡି ଯାଇଥିଲା।ସମ୍ପର୍କୀୟ ଲୋକେ ଶିଶୁଟିକୁ କିଛି ସମୟ ଧରି ଖୋଜାଖୋଜି କରିବା ପରେ କୂଅରେ ପଡିଥିବା ନେଇ ସନ୍ଦେହ କରିଥିଲେ।ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ବିଭାଗୀୟ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ପହଞ୍ଚି ଶିଶୁକନ୍ଯାଟିକୁ କୂଅ ଭିତରୁ ଉଦ୍ଧାର କରିଥିଲେ।ପରେ ତାକୁ ସଙ୍ଗେସଙ୍ଗେ ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ଶିଶୁକନ୍ଯାର ମୃତ୍ୟୁ ହୋଇ ସାରିଥିବା ପ୍ରକାଶ କରିଥିଲେ।ଘଟଣା ସମ୍ପର୍କରେ ଦିଗପହଣ୍ଡି ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।


