ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜାତୀୟ କ୍ରୀଡା ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁର ପରିସର ମଧ୍ୟରେ ଜାତୀୟ କ୍ରୀଡା ଦିବସ ମହା ସମାରୋହରରେ ଅନୁିଷ୍ଠିତ ହୋଇଯାଇଅଛି । ଏହି ଉତ୍ସବଟି ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସହରର ୧୧ ବର୍ଷୀୟ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଟାଇକୋଣ୍ଡା ଖେଳାଳୀ ସୁଶ୍ରୀ ରୁନ୍ସି ବେହେରାଙ୍କୁ ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ସଂପାଦକ ପଦ୍ମଚରଣ ସାହୁ ଅଲମ୍ପିକ ଖେଳର ଇତିହାସର ପୃଷ୍ଠଭୂମି ବିଷୟରେ ପିଲାମାନଙ୍କୁ ଅବଗତ କରିଥିଲେ। ସପ୍ତମଶ୍ରେଣୀର ଅଧ୍ୟୟନରତ ଶିଶୁ ଅଙ୍କିତ୍ ଆଚାର୍ଯ୍ୟ ଯୋଗାସନ ପ୍ରଦର୍ଶନ କରିଥିଲେ । ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ କ୍ରୀଡା ଶିକ୍ଷକ ଶ୍ରୀ ଚର୍ତୁଭୂଜ ତ୍ରିପାଠୀ, ଗୁରୁଜୀ ସୋମନାଥ ନାହାକ ଓ ସୁକାନ୍ତ ସାହୁଙ୍କ ତତ୍ୱାବଧାନରେ କବାଡି, ଖୋଖୋ, କ୍ୟାରାମ୍, ଚ୍ୟାସ୍ ଆଦି ପ୍ରତିଯୋଗିତା କରାଯାଇ ବିଜୟୀ ଖେଳାଳୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଗୀତା ପାଢୀ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଏବଂ ଆନ୍ତର୍ଜାତୀୟ ଖେଳାଳୀ ସୁଶ୍ରୀ ରୁନ୍ସି ବେହେରାଙ୍କ ପିତା କିଶୋର ବେହେରା ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ସହେଯାଗ କରିଥିଲେ ।