ପୁରାତନ ଜଳାଶ୍ରୟ ପୋତି ପ୍ଲଟିଂ କରି ବିକ୍ରି କରୁଥିବା ଅଭିଯୋଗ

ଛତ୍ରପୁର, (ଦେବଦତ୍ତ ମହାରଣା):ପୋତି ହୋଇ ରହିଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଗଂଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ତହସିଲ ଅନ୍ତର୍ଗତ ରିକାପଲ୍ଲୀ ମୈାଜା ଶ୍ରୀନଗର ( ଦ୍ୱିତୀୟ ଗଳି) ଠାରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ୧୦ ୱାର୍ଡ ଅନ୍ତର୍ଗତ ଶ୍ରୀ ନଗର ଦ୍ୱିତୀୟ ଗଳି ଠାରେ ଥିବା ଏକ ପୁରାତନ ଜଳାଶୟ କୁ ପୋତି ସେଠାରେ ବେଆଇନ ଭାବେ ପ୍ଲଟିଂ କରି ସେ ଜାଗା ବିକ୍ରି କରାଯାଇଥିବା ସହ ବଡ ବଡ କୋଠା ନିର୍ମଣା କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ କାଉନସିଲର ଓ ବାସିନ୍ଦା ମାନେ । ଏନେଇ ସେମାନେ ବହୁବାର ସ୍ଥାନୀୟ ତହସିଲଦାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସୋମବାର ପୁନର୍ବାର ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ବହୁ ମହିଳା, ଆଇନଜିବୀ ଓ ଯୁବକ ମାନେ ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଚାଲିଥିବା ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଏକ ଲିଖିତ ଦାବୀ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହାର ଉଚିତ୍ ତଦନ୍ତ କରି ଜିଲ୍ଲାପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୋତି ହୋଇ ରହିଥିବା ଜଳାଶୟକୁ ପୁନରୁଦ୍ଧାର କରି ଅଂଚଳର ହିତ ନିମନ୍ତେ କାର୍ଯ୍ୟକ୍ଷମ କରିବାକୁ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଉଚିତ୍ ତଦନ୍ତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଆଜି ଏହି ସ୍ମାରକ ପତ୍ର ପ୍ରଦାନ ବେଳେ କାଉନସିଲର ଦେବାଶିଷ ମିଶ୍ରଙ୍କ ସହ ବରିଷ୍ଠ ଆଇନଜିବୀ ଲକ୍ଷ୍ମଣ ପଣ୍ଡା, ଯୁବ ଆଇନଜିବୀ ଗଙ୍ଗାଧର ପଣ୍ଡା, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, କିଶୋର ଚନ୍ଦ୍ର ପଣ୍ଡା, ଅଶ୍ୱିନୀ କୁମାର ପାଢୀ, ଝିଲିବାଳା ରାଉତ, ଗୀତା ସାହୁଙ୍କ ସମେତ ବହୁ ମହିଳା ଏବଂ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । ସୂଚନା ଥାଉ କି, ଛତ୍ରପୁର ତହସିଲ ଅନ୍ତର୍ଗତ ରିକାପଲ୍ଲୀ ମୈାଜା ଶ୍ରୀନଗର ( ଦ୍ୱିତୀୟ ଗଳି) ଠାରେ ଥିବା ଉକ୍ତ ଜଳାଶ୍ରୟ ଜାଗାକୁ ଚଞ୍ଚକତା କରି ଘରବାରି ପଟ୍ଟା କରାଯାଇଛି । ରିକାପଲ୍ଲୀ ମୈାଜା ୨୨୯/୬୭୬ ଖାତାର ଜଳାଶ୍ରୟ ଜମିକୁ ୪୦୭/୧୨୭୬, ୪୦୮/୧୨୭୭, ୪୦୯/୧୨୭୮, ୪୧୦/୧୨୭୫ ନଂ ପ୍ଲଟ କରି ବିକ୍ରି କରାଯାଇଛି । ଏହି ପ୍ଲଟ ବିକ୍ରି କରି ଅଂଚଳର ଜୈନକ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ମୁନାଫ ହେଉଥିବା ବେଳେ ଅଂଚଳବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳାଶ୍ରୟ ଟି ପୋତି ହେବା ଫଳରେ ସାହିର ସମସ୍ତ କୂପ ଜଳସ୍ତର କମିଯିବା ଦ୍ୱାରା ସ୍ଥାନୀୟ ବାସିନ୍ଦା ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କାଉନସିଲରଙ୍କ ସମେତ ଅନ୍ୟ ଉପସ୍ଥିତ ସାହି ବାସିନ୍ଦା ମାନେ ଏହି ଅଭିଯୋଗ ପତ୍ର ଦାଖଲ ବେଳେ ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳାଶ୍ର୍ରୟ ଗୁଡିକ ପୁନରୁଦ୍ଧାର କରିବା ନିମନ୍ତର ନିର୍ଦ୍ଦେଶ ରହିଥିବା ବେଳେ ଉକ୍ତ ଜଳାଶ୍ରୟ ଜାଗା କୁ କିପରୀ ଘରବାରି କିସମ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଜଳାଶ୍ରୟ କୁ ପ୍ଲଟିଂ କରି ବ୍ରିକି କରୁଥିବା ବ୍ୟକ୍ତି ଜଣକ କିଛି ରାଜସ୍ୱ ଅଧିକାରି ମାନଙ୍କୁ ହାତ ଗୁଜଣା ଦେଇ ଏପରି କରିଥିବା ନେଇ ସେମାନେ ମାନେ ଅଭିଯୋଗ କରିଛନ୍ତି । ଏହାର ଏକକିତ ନକଲ ଓଡିଶାର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ପ୍ରିନ୍ସିପାଲ ସେକ୍ରେଟାରୀ, ଦକ୍ଷିଣାଂଚଳ ରାଜସ୍ୱ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ସେମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ