ବିଜେଡି ଶାସନରେ ମହିଳା ବିପଦରେ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେଡି ଶାସନରେ ମହିଳା ଓ ଶିଶୁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତି । ନାରୀ ସଶକ୍ତିକରଣର କଥା କହି ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ମୁଖା ଖୋଲିଦେଇଛି ଏନସିଆରବି ରିପୋର୍ଟ । ରିପୋର୍ଟ ଅନୁଯାୟୀ ଓଡିଶାରେ ମହିଳା ଅସଦାଚରଣରେ ୧ନଂ ସ୍ଥାନରେ ରହିଛି । ଏହାର ପ୍ରତିବାଦରେ ଆଜି ସଦର ବିଜେପି ମହିଳା ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଥମେ ଶତାଧିକ ମହିଳା ସଦର ବିଜେପି କାର୍ଯ୍ୟାଳୟ ଠାରୁ ବାହାରି ଫାଣ୍ଡି ଛକ ଅଭିମୁଖେ ବାହାରିଥିଲା । ପରେ ସେଠାରେ ଉପସ୍ଥିତ ବକ୍ତା ରାଜ୍ୟ ସରକାରଙ୍କୁ ଜବାବତଲବ କରିବା ସହିତ କଡା ସମାଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ମହିଳା ନିର୍ଯ୍ୟାତନା, ଶିଶୁ ନିଖୋଜ, ଅପହରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଅଧିକାଂଶ କ୍ଷେତ୍ରରେ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ମଧ୍ୟ ରହୁଅଛି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବା ଅତ୍ୟନ୍ତ ନିନ୍ଦାଜନକ । ୨୩ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର ମା ଓ ଭଉଣୀ ମାନେ ନ୍ୟାୟ ପାଇବା ବର୍ତ୍ତମାନ ଦିବା ସ୍ୱପ୍ନରେ ପରିଣତ ହୋଇଛି । ରାଜ୍ୟ ସରକାରଙ୍କ ଅସାଧାରଣ ନେତୃତ୍ୱ ଲାଗି ସମ୍ମାନିତ ହେଉଥିବା ବେଳେ ଜାତୀୟ କ୍ରାଇମ ରିପୋର୍ଟ ଅନୁସାରେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ୨୩% ମହିଳା ଅପରାଧ ବୃଦ୍ଧି ହୋଇଛି । ୨୦୨୧ ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋ ଅନୁସାରେ ଓଡିଶା ମହିଳା ଶାରିରୀକ ଆକ୍ରମଣ ଓ ସାଇବର ଅପରାଧରେ ଅଧିକ ଶିକାର ହୋଇଛନ୍ତି । ଏଭଳି ପ୍ରହସନ କେବେ ବନ୍ଦ ହେବ? କେବେ ରାଜ୍ୟର ମା ଓ ଭଉଣୀଙ୍କୁ ସୁରକ୍ଷା ମିଳିବ ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, କାଉନସିଲର ରୋଜାଲିନ ପାଣି, ସସ୍ମିତା ନାଥ, ନିରୁପମା ଦାଶ ଓ ଭାରତୀ ପାତ୍ର, ସସ୍ମିତା ଦାଶ, ଶ୍ରୀୟା ଦାସ, ସୁସ୍ମିତା ଶୁକ୍ଳା, ମଧୁଶ୍ରୀ ପଣ୍ଡା, ସୁକାନ୍ତି ଦେବ ଗୋସ୍ୱାମୀ, ଝରଣା ଦାସ, ସ୍ୱର୍ଣ୍ଣପ୍ରିୟା ନାଥ, ସର୍ମିଷ୍ଠା ଦଳେଇ, ଅମ୍ବିକା ବେହେରା, ମାମୁନି ହାଥୀ, ସୁଭଦ୍ରା ଖଟୁଆ, ସରପଞ୍ଚ ରବିନାରାୟଣ ପ୍ରଧାନ, କାଉନସିଲର ନିତ୍ୟଗୋପାଲ ସିଂ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଦୁକୁଲ ଘୋଡେଇ, ବୈଲୋଚନ ଦାଶ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, ସୁଶାନ୍ତ ବର୍ଦ୍ଧନ, ଧୀରଜ ମହାନ୍ତି, ଶ୍ରୀନିବାସ ମହାଳିକ, ନସିମା ବିବି, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


