ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୋଦି ବିରୋଧୀ ସରକାର ଆସିଲେ ଦେଶର ଚାଷୀଙ୍କୁ ମାଗଣା ବିଜୁଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମୋଦିମୁକ୍ତ ଭାରତ ଓ ଭାଜପା ବିରୋଧୀ ସରକାର କେନ୍ଦ୍ରରେ ଗଠନ ପାଇଁ ଠୋସ୍ କଦମ ଉଠାଇଥିବା ଚରମ ମୋଦି ବିରୋଧୀ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଦେଶରେ ଯଦି ଭାଜପା ବିରୋଧୀ ସରକାର ଗଠିତ ହୁଏ ତେବେ ତମାମ ଦେଶରେ ଚାଷୀମାନଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ମୋଦିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବଡ଼ ଧରଣର ଅଭିଯାନ ଜାରି ରଖିଛନ୍ତି । ସେ ବିଭିନ୍ନ ରାଜ୍ୟ ବୁଲି ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ ଅର୍ଥ ଦେବା ସହ ସହୀଦ ଯବାନମାନଙ୍କ ପରିବାରକୁ କ୍ଷତିପୂରଣ ଦେଉଛନ୍ତି । ନିକଟରେ ହାଇଦ୍ରାବାଦରେ ଦେଶର ଅଧିକାଂଶ ଚାଷୀନେତାମାନଙ୍କୁ ଡ଼ାକି ମୋଦିମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେସିଆରଙ୍କ ଏହି ବଡ଼ ଘୋଷଣାକୁ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସ୍ୱାଗତ କରିଛନ୍ତି ।  କୁମାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ମୋଦିଙ୍କ ଦୁଇପାଳି ଶାସନ କେବଳ ଭାଷଣବାଜିରେ ଚାଲିଛି । ପ୍ରଥମରୁ ସ୍ୱାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କ ଭୋଟ ହାତେଇ ନେଇଥିଲେ । ଦ୍ୱିତୀୟ ପାଳି ଶାସନରେ ୨୦୨୨ ମସିହା ସୁଦ୍ଧା ସବୁଚାଷୀଙ୍କ ଆୟ ଦୁଇଗୁଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ସଦୃଶ ହେବାକୁ ଯାଉଛି । ଚାଷୀକୁଳକୁ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ପ୍ରଧାନମନ୍ତ୍ରୀକୁ ହଟାଇବା ଆହ୍ୱାନକୁ ସେ ସ୍ୱାଗତ କରିଛନ୍ତି । ଏଥର ଭାଷଣବାଜି ସରକାରର ଅନ୍ତ ଘଟିବ ଓ ମିଥ୍ୟା ପ୍ରତିଶ୍ରୁତି ବଦଳରେ କାମରେ ବିଶ୍ୱାସ କରୁଥିବା ଚାଷୀ ସପକ୍ଷବାଦୀ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ଆସୀନ କରାଯିବ ବୋଲି ଅକ୍ଷୟ କୁମାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ