ବନ୍ୟା ଅଂଚଳର କ୍ଷତି ଓ ସୁବର୍ଣ୍ଣ ଟାଟା ସୁରକ୍ଷା ନେଇ ଆଲୋଚନା
ବାଲେଶ୍ୱର, (ସରୋଜ ପଣ୍ଡା) : ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱରର ସମଗ୍ର ବେଳାଭୂମି ସୁରକ୍ଷା ଓ ସୁବର୍ଣ୍ଣରେଖା ତଟ ସୁରକ୍ଷା ମାଧ୍ୟମରେ ବ୍ୟାପକ ବନ୍ୟା ନିୟନ୍ତ୍ରଣ କରିବା ବିଷୟରେ ବିସ୍ତାରିତ ଆଲୋଚନା କରିଛନ୍ତି l ତୁରନ୍ତ ଏହାର ସର୍ବେକ୍ଷଣ ସମାପ୍ତ କରି ଏକ ପ୍ରାଥମିକ ରିପୋର୍ଟ ଓ ସମ୍ଭାବ୍ୟ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ବନ୍ୟାର କରାଳ ପ୍ରକୋପରେ ବସ୍ତା, ବାଲିଆପାଳ, ଜଳେଶ୍ୱର, ଭୋଗରାଇ, ରେମୁଣା ଓ ସଦର ବ୍ଲକର ଅନେକ ଅଞ୍ଚଳର ଲୋକଙ୍କର ଜୀବନ ଦୁର୍ବିସହ ହୋଇପଡୁଛି, ଏ ବିଷୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସାଂସଦ ପ୍ରତିବଦ୍ଧ ବୋଲି ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରେସ୍ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି l ସାଂସଦଙ୍କ ସହିତ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଅଂଶୁମାନ ମହାନ୍ତି, ପ୍ରବୀର ପ୍ରଧାନଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ.


