ଅହିଂସା ରଥକୁ ବାଲେଶ୍ୱରରେ ଭବ୍ୟ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ସ୍ମୃତି ଉଜ୍ଜୀବିତ କରିବା ଓ ଗାନ୍ଧୀବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ୧୫ ତାରିଖରୁ ରାଜ୍ୟବ୍ୟାପୀ ଜାରି ରହିଛି ଅହିଂସା ରଥ ପରିକ୍ରମା । ଏହି କ୍ରମରେ ଅହିଂସା ରଥକୁ ଗୁରୁବାର ବାଲେଶ୍ୱର ସହରରେ ଭବ୍ୟ ସ୍ୱାଗତ କରାଯାଇଛି । ଭୋଗରାଇ ବ୍ଲକରୁ ଏହି ରଥ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଜିଲାସ୍କୁଲ ପରିସରକୁ ଅଣାଯାଇଥିଲା । ଯୁବ, ମହିଳା, ଛାତ୍ରଙ୍କ ସମେତ ପ୍ରତିଟି ବର୍ଗର ଲୋକେ ଏହି ଶୋଭାଯାତ୍ରାରେ ସମିଲ ହୋଇଥିଲେ । ବ୍ୟାଣ୍ଡ ବାଜା, ଭଜନ କୀର୍ତ୍ତନ, ଶଙ୍ଖ ହୁଳହୁଳି ସାଙ୍ଗକୁ ଜାତୀୟ ପତାକା ଧରି ଭାରତ ମାତା ଓ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟଗାନରେ ପ୍ରକମ୍ପିତ ହୋଇଥିଲା ଷ୍ଟେସନଛକରୁ ଜିଲାସ୍କୁଲ ପର୍ଯ୍ୟନ୍ତ ରାସ୍ତା । ଅହିଂସା ରଥ ଜିଲାସ୍କୁଲରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସାଧାରଣ ସଭାରେ ସଦର ବିଧାୟକ ସ୍ୱରୂପ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ଅବଦାନକୁ ମନେ ପକାଇଥିଲେ । ତେବେ ସମ୍ବିଧାନର ମୁଖବନ୍ଧରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ଶବ୍ଦକୁ ସ୍ଥାନୀତ କରିବା ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଧୁ ଉଦ୍ୟମ ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ପୌରାଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ସଦର ବିଡିଓ ନରେନ୍ଦ୍ର ଖମାରୀ, ସଦର ବ୍ଳକ ଅଧ୍ୟକ୍ଷା ସୁନୀତା ବେହେରା ଓ ଉପାଧ୍ୟକ୍ଷ ଚୈତନ୍ୟ ସିଂ ପ୍ରମୁଖ ଏଥିରେ ଯୋଗଦେଇ ଗାନ୍ଧିଜୀଙ୍କ ଅହିଂସା ନୀତିର କ୍ଷମତା ଓ ଶକ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ଶୃଙ୍ଖଳିତ ସାମାଜିକ ବ୍ୟବସ୍ଥା ପାଇଁ ଅହିଂସା ନୀତି ହିଁ ଶ୍ରେଷ୍ଠ ମହୋଔଷଧି ବୋଲି ଅତିଥିମାନେ ମତ ଦେଇଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମର ଶେଷରେ ସଦର ସିଡିପିଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ