ଧାମନଗର ମାଟିର ଗୌରବ ଆଣିଲେ ଗୁରୁଶ୍ରୀ ସୁବାସ ମଲ୍ଲିକ
ଧାମନଗର (ଓ୍ବାଇଏନଏସ): ପ୍ରତିଭାର ମହକ ଆଜିକାଲି ଆଉ ସଂକୁଚିତ ହୋଇ ରହୁନାହିଁ। ବିଭିନ୍ନ ମାଧ୍ୟମରେ ତାହା ସବୁଆଡକୁ ପ୍ରଚାରିତ ହୋଇଯାଉଛି। ସେହିପରି ଧାମନଗର ଅଞ୍ଚଳରେ ଜଣେ ବହୁବିଧ ପ୍ରତିଭାର ଅଧିକାରୀ ଗୁରୁଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକ। କେବଳ କଳା,ସଂଗୀତ କ୍ଷେତ୍ରରେ ନୂଁହେ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷତା ପ୍ରଶଂଶନୀୟ। ଏହି ଅବସରରେ ଗତ ୨୬ ତାରିଖରେ ବାସୁଦେବପୁର ଟାଉନହଲ ଠାରେ “ବାସୁଦେବପୁର କଳାସଂସ୍କୃତି ମହାସଂଘ”ର ପ୍ରଥମ ବାର୍ଷିକ ମହୋତ୍ସବରେ ଗୁରୁଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକଙ୍କୁ ଉପଢୌକନ,ଉତ୍ତରୀୟ,ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମୁଖ୍ୟଅତିଥି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସମ୍ବର୍ଦ୍ଧିତ କରି ଭୂୟସୀ ପ୍ରଶଂସା କରିଥିଲେ। ଦୁଇଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସଂଘର ସ୍ଥାୟୀ ସଭାପତି କରୁଣାକର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମହୋତ୍ସବର ଉଦ୍ଘାଟକ ଭାବେ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ,ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟ, ମୁଖ୍ୟ ବକ୍ତା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଗୁରୁ ସୁବାସ ମଲ୍ଲିକ, ସମାନିତ ଅତିଥି ବାସୁଦେବପୁର ତହସିଲଦାର ପ୍ରିୟବ୍ରତ ଦାସ,ଔପନ୍ୟାସିକ ମଦନ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କଳା,ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର ଭଦ୍ରକ ଏବଂ ଭଦ୍ରକରେ ଟେକାଟିଏ ଫିଙ୍ଗିଲେ ଯାହା ଉପରେ ବାଜିବ,ସେ ନିଶ୍ଚିତ ଜଣେ କଳାକାର କିମ୍ବା ସାହିତ୍ୟିକ ହୋଇଥିବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶେଷରେ ମଦନ କୁମାର ପାଢୀଙ୍କ ଦ୍ବାରା ରଚିତ ଉପନ୍ୟାସ “ଅସ୍ତଅନ୍ଧାର” ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା।ବିଭିନ୍ନ ଜିଲାରୁ ଆସିଥିବା କଳାକାର ମାନେ ସେମାନଙ୍କ କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ।


