ବିଲୁପ୍ତ ପ୍ରାଣୀ ପାଲଟିବ ‘ଗଧ’
ଲୋକମାନେ ଗଧକୁ ଏକ ର୍ନିବୁଦ୍ଧିଆ ପ୍ରାଣୀ ବୋଲି ଜାଣିଥାଆନ୍ତି । ଗଧ ନାଁ ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ । ଦୀର୍ଘଦିନ ଧରି ଆମ ସମସ୍ତଙ୍କ ମାନସିକସ୍ତରରେ ଏହି ପ୍ରାଣୀଙ୍କୁ ନେଇ ନକାରାତ୍ମକ ଭାବନା ପୂରାଇ ଦିଆଯାଇଛି । ସମ୍ପ୍ରତି ଗଧଙ୍କ ପାଇଁ ମାଲାମାଲ ହେଉଛି ପଡ଼ୋଶୀ ଚାଇନା । ଚାଇନାର ପାରମ୍ପରିକ ଔଷଧ ଉଦ୍ୟୋଗରେ ଗଧଙ୍କ ଅଙ୍ଗପ୍ରତ୍ୟଙ୍ଗ ସର୍ବାଧିକ ବ୍ୟବହାର କରାଯାଉଛି । ଯଦି ଏଭଳି ଧାରା ଜାରି ରହେ, ତାହା ହେଲେ ମାତ୍ର କେଇ ବର୍ଷ ଭିତରେ ଗଧ ଏକ ବିଲୁପ୍ତପ୍ରାୟ ପ୍ରାଣୀ ପାଲଟିଯିବ । ସାରା ଦୁନିଆରେ ଗଧଙ୍କ ସଂଖ୍ୟା ୪.୪ କୋଟି । ହେଲେ ଆଗାମୀ ୫ବର୍ଷ ଭିତରେ ଏହି ସଂଖ୍ୟା ଅଧା ହୋଇଯିବ । ଅନ୍ତର୍ଜାତୀୟସ୍ତରରେ ପ୍ରାଣୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଚାରିଟି ସଂସ୍ଥା “ସୋଂକ୍ଚୁଆରୀ’ ପକ୍ଷରୁ ଏପରି ଆଶଙ୍କା ବ୍ୟକ୍ତ କରାଯାଇଛି । ସଂସ୍ଥା ପକ୍ଷରୁ ପ୍ରଦତ୍ତ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚାଇନାର ପରମ୍ପରାଗତ ଔଷଧ ଶିଳ୍ପ ଗଧଙ୍କ ବିନା ଅସମ୍ଭବ । ଏଥିଲାଗି ବାର୍ଷିକ ୪୮ ଲକ୍ଷରୁ ଊର୍ଦ୍ଧ୍ୱ ଗଧଙ୍କ ଆବଶ୍ୟକତା ପଡୁଛି । ଏହି କାରଣରୁ ୩ ଦଶନ୍ଧି ମଧ୍ୟରେ ଚାଇନାରେ ଏହି ପ୍ରାଣୀଙ୍କ ସଂଖ୍ୟା ତିନିଚତୁର୍ଥାଂଶକୁ କମିଆସିଲାଣି । ତେଣୁ ସାରା ଦୁନିଆର ଗଧଙ୍କ ଉପରେ ଏବେ ପଡ଼ିଛି ଡ୍ରାଗନ ଆଖି । କେବଳ ଚାଇନା ନୁହେଁ, କେନିଆ, ଘାନା ଭଳି ଦେଶରେ ଏକଦା ବ୍ୟାପକ ପରିମାଣରେ ଗଧ ଦେଖାଯାଉଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଲାଣି । ଲମ୍ବା ସମୟ ଧରି ଗଧମାନଙ୍କୁ ଅତି ଦୟନୀୟ ଭାବେ ଚାଲାଣ କରାଯାଉଛି । ବିନା ଖାଦ୍ୟ, ପାନୀୟରେ ଦୀର୍ଘଯାତ୍ରା ମଧ୍ୟରେ ସେମାନଙ୍କ ମଧ୍ୟରୁ ୨୦% ରାସ୍ତାରେ ହିଁ ମରିଯାଇଥାନ୍ତି । ଅଧିକାଂଶ ଗଧ ଖୁରାରେ ଗଭୀର ଆଘାତ ପାଇ ଯନ୍ତ୍ରଣାରେ କଲବଲ ହୋଇଥାନ୍ତି । ତଥାପି ସେମାନଙ୍କୁ ନିସ୍ତାର ମିଳେନାହିଁ । ଔଷଧ ପାଇଁ ସେମାନଙ୍କୁ ନିର୍ଦୟ ଭାବେ ହତ୍ୟା କରାଯାଏ । ସଂସ୍ଥା ପକ୍ଷରୁ କୁହାଯାଇଛି, ଗଧକୁ ସବୁବେଳେ ଉପହାସ କରାଯାଉଛି । ହେଲେ କେତେକ ଦେଶ ଏପରି ପ୍ରାଣୀକୁ ହତ୍ୟାକରି ଭରପୂର ଲାଭ ଉଠାଉଛନ୍ତି । ଗଧ ସଂଖ୍ୟାରେ ଅଭିବୃଦ୍ଧି ଏବେ ଜରୁରୀ ହୋଇପଡ଼ିଛି । ହେଲେ ଏହାକୁ ଭରଣା କରିବାକୁ ହାରାହାରି ୨୦ବର୍ଷ ଲାଗିଯିବ । ଗଧଙ୍କ ପ୍ରଜନନ ଚକ୍ର ଅତି ମନ୍ଥର । ମାଈ ଗଧର ଗର୍ଭଧାରଣ କ୍ଷମତା ବର୍ଷେ । ସମୟ କ୍ରମେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ । ତେଣୁ ସେମାନଙ୍କ ସଂଖ୍ୟା ବୃଦ୍ଧି ଏବେକାର ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଗଧ ବଂଶର ସୁରକ୍ଷା ପାଇଁ ୧୮ଟି ଦେଶରେ କଡ଼ା ନିୟମ ଲାଗୁ କରାଯାଇଛି । ଘାନା, ମାଲି ଭଳି ପଶ୍ଚିମ ଆଫ୍ରିକୀୟ ଦେଶରେ କଂସେଇଖାନା ବନ୍ଦ କରି ଦିଆଯାଇଛି । ତଥାପି ନିୟମ ଫାଙ୍କି ଗଧଙ୍କୁ ହତ୍ୟା କରାଯାଉଛି । ଏହା ଜାରି ରହିଲେ ଗଧଙ୍କ ଅସ୍ତିତ୍ୱ ଲୋପ ପାଇଯିବ ବୋଲି ସଂସ୍ଥା ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଉଛି ।


