ସୂଚନା ଅଧିକାର କର୍ମୀଙ୍କ ନାମରେ ମିଥ୍ୟା ମାମଲା କ୍ଷେତ୍ରରେ ଆଇନ ସହାୟତା ପ୍ରାଧିକରଣ ଆଗେଇ ଆସୁ : ଜଷ୍ଟିସ ଲୋକୁର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟରେ ସୂଚନା ଅଧିକାର କର୍ମୀମାନଙ୍କ ଉପରେ ଲଗାତର ଆକ୍ରମଣ ଓ ସେମାନଙ୍କୁ ମିଥ୍ୟା ମାମଲାରେ ଜେଲ୍ ପଠାଇବା ଘଟଣାକୁ ନେଇ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଚିନ୍ତାବ୍ୟକ୍ତ କରିଛନ୍ତି । ମିଥ୍ୟା ମାମଲାରେ ଜେଲ୍ ଭୋଗୁଥିବା ଏହି କର୍ମୀମାନଙ୍କୁ ଆଇନ୍ଗତ ସହାୟତା ଦେବା ଲାଗି ରାଜ୍ୟ ଆଇନସେବା ପ୍ରାଧିକରଣ ଆଗେଇ ଆସିବା ପାଇଁ ଜଷ୍ଟିସ ଲୋକୁର ମତବ୍ୟକ୍ତ କରିଥିଲେ । ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜନଶୁଣାଣୀ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜଷ୍ଟିସ ଲୋକୁର ଏହି ପ୍ରସଙ୍ଗ ଉଠାଇଥିଲେ । ଜନଶୁଣାଣୀରେ ସୂଚନା ଅଧିକାର କର୍ମୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ, ହତ୍ୟା ଓ ସେମାନଙ୍କ ସୁରକ୍ଷା ଉପରେ ଆଠ ଜଣିଆ ବିଚାରକ ମଣ୍ଡଳୀ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ, ଯାଜପୁରର ସର୍ବେଶ୍ୱର ବେଉରା, ପୁରୀର ସନ୍ତୋଷ ମହାନ୍ତି, ମୟୁରଭଞ୍ଜର ମହେଶ୍ୱର ମହାନ୍ତି, କେନ୍ଦ୍ରାପଡ଼ାର ମନୋରଞ୍ଜନ ଜେନା, ଜନକର ଜେନା, ଗଞ୍ଜାମର ସୀମାଞ୍ଚଳ ଜେନା, ଅଭିମନ୍ୟୁ ପଣ୍ଡାଙ୍କ ପୁତ୍ର ଗୋବିନ୍ଦ ଚନ୍ଦ୍ରପଣ୍ଡା ପ୍ରମୁଖ ସେମାନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ମିଥ୍ୟ ମାମଲା ସମ୍ପର୍କରେ ଜୁରି କମିଟି ସମ୍ମୁଖରେ ସବିଶେଷ ତଥ୍ୟ ରଖିଥିଲେ । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଅଧିକାର କର୍ମୀଙ୍କୁ ହତ୍ୟା କରାଯିବା ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । କନ୍ଧମାଳର ସୂଚନାଧିକାର କର୍ମୀଯ ଅଭିମନ୍ୟୁ ପଣ୍ଡାଙ୍କୁ ଯେଉଁଭଳି ଭାବେ ନିର୍ମମ ହତ୍ୟା ତାଙ୍କ ଘର ସମ୍ମୁଖରେ କରାଯାଇଥିଲା, ସେ ସମ୍ବନ୍ଧରେ ତାଙ୍କ ପୁଅ ଜୁରି କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ଅଭିଯାଗ ଗୁଡ଼ିକ ଶୁଣିବା ପରେ ଜୁରି କମିଟି ସଦସ୍ୟାମାନେ ସେମାନଙ୍କ ମତାମତ ରଖିଥିଲେ । ଜଷ୍ଟିସ ଲୋକୁର କହିଥିଲେ ଏଭଳି ପରିସ୍ଥିତିରେ ଦୋଷୀ ପୋଲିସ୍ ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ । ମାନବାଧିକାର କମିଶନ ଲୋକାୟୁକ୍ତ ଓ ପୋଲସ୍କୁ ଅଭିଯୋଗ ବ୍ୟବସ୍ଥା ଆଦି ସଠିକ୍ ଭାବେ କାର୍ଯ୍ୟ କଲେ ଏସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ରଖିଥିଲେ । ଉପା ସରକାର ଅମଳରେ ହୁଇସିଲ ବ୍ଲୋୟର ଆକ୍ଟ ପାର୍ଲାମେଣ୍ଟରେ ପାରିତ ହେଲା ପରେ ମୋଦି ସରକାରଙ୍କ ସମୟରେ ଏହି ଆକ୍ଟ ଆଜି ପର୍ଯ୍ୟନ୍ତ ସାରା ଦେଶରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହା ଦ୍ୱାରା ହୁଇସିଲ୍ ବ୍ଲୋୟରଙ୍କ ଉପରେ ଆକ୍ରମଣର ଭୟ ରହିଛି । ସାରା ଦେଶରେ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ଓ ନିର୍ଯ୍ୟାତନା ପ୍ରସଙ୍ଗ ସାମ୍ନାକୁ ଆସିଥିବାରୁ ଜନଆନ୍ଦୋଳନର ଆବଶ୍ୟକତା ଅଛି ବୋଲି ବିଶିଷ୍ଟ ସାମାଜିକ କର୍ମୀ ଅରୁଣା ରାୟ ପ୍ରସ୍ତାବ ରଖିଥିଲେ । ଜନସୂଚନା ପୋର୍ଟାଲକୁ କାର୍ଯ୍ୟକାରୀ କରିବା, ଯେଉଁ ଘଟଣା ପାଇଁ ଆକ୍ରମଣ ହୋଇଛି, ସେହି ଘଟଣାର ତଦନ୍ତ କରିବା, ଦଳିତ ଓ ମହିଳା ସଂଗଠନକୁ ସାମିଲ କରିବା, ହୁଇସିଲ୍ ବ୍ଲୋୟର ପ୍ରୋଟେକ୍ସନ ଆଇନ ଲାଗୁ କରିବା ଆଦି ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିଲା । ଆଜିର ଏହି ଜନ ଶୁଣାଣିରେ ଜୁରି କମିଟି ସଦସ୍ୟ ଭାବେ ଅନ୍ୟମାନଙ୍କ ମଧ୍ୟରେ ଏନ୍ସିପିଆରଆଇର ଆବାହକ ଅଞ୍ଜଳି ଭରଦ୍ୱାଜ, ସହ ଆବାହକ ନିଖିଲ ଦେ, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ଆଇଏଏସ୍ ଅରବିନ୍ଦ ବେହେରା, ଦଳିତ ସାମାଜିକ କର୍ମୀ ଅଶୋକ ମଲ୍ଲିକ ଓ ମାନବାଧିକାର କର୍ମୀ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫୦ରୁ ଅଧିକ ସୂଚନା ଅଧିକାର କର୍ମୀ, ସାମାଜିକ କର୍ମୀ, ମାନବାଧିକାର କର୍ମୀ, ଆଇନଜୀବୀ, ମହିଳା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଏନ୍ସିପିଆରଆଇର ଅମ୍ରିତା ଦୋହରୀ ଧନ୍ୟବାଦ ଦେଇଥିଲେ । ଆସନ୍ତା କାଲି ସମାଜର ସବୁ ବର୍ଗଙ୍କୁ ନେଇ ଏକ ଜନ ସମାବେଶ କରାଯିବ ବୋଲି ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି ।