ନିଖୋଜ ବଳରାମର ମୃତଦେହ ଉଦ୍ଧାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଫାସିଗୁଡା ପଞ୍ଚାୟତ ବାଙ୍ଗରଡା ଗ୍ରାମର ନିଖୋଜ ଯୁବକ ବଳରାମ ଡାକୁଆଙ୍କ ମୃତଦେହ ବୁଧବାର ସକାଳୁ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଗତକାଲି ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମ ପାର୍ଶ୍ବ ଦେଇ ପ୍ରବାହିତ ରାଉତରାୟ ନାଳକୁ ଜଗନ୍ନାଥ ସେଠୀ ଓ ବଳରାମ ମିଶି ଗାଧୋଇବାକୁଯାଇଥିଲେ । ଅସାବଧାନତା କାରଣରୁ ପ୍ରଖର ଜଳ ସ୍ରୋତରେ ଦୁଇ ଯୁବକ ଭାସି ଯାଇଥିଲେ । ତେବେ ଗ୍ରାମବାସୀ ଜଗନ୍ନାଥଙ୍କୁ ଉଦ୍ଧାର କରିଥିବା ବେଳେ ବଳରାମ ନିଖୋଜ ରହିଥିଲେ । ଖବରପାଇ ଘଟଣାସ୍ଥଳରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଖୋଜ ବଳରାମଙ୍କୁ ଉଦ୍ଧାର ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ କୈାଣସି ସନ୍ଧାନ ପାଇନଥିଲେ । ଜଗନ୍ନାଥ ବର୍ତ୍ତମାନ ଚିକିତ୍ସାଧୀନ ରହିଥିବା ବେଳେ ଦୀର୍ଘ ୨୪ ଘଣ୍ଟା ପରେ ବୁଧବାର ସକାଳ ସାଢେ ୮ଘଣ୍ଟା ସମୟରେ ବଳରାମଙ୍କ ମୃତଦେହ ନିକଟସ୍ଥ ଚେକଡ୍ଯାମ ପାଖରେ ଭାସୁଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଗଭୀର ମଧ୍ୟରେ ପଶି ପାଣିକୁ କାଟି ଉଦ୍ଧାର କରିଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ଦିଗପହଣ୍ଡି ତହସିଲ ପକ୍ଷରୁ ମୃତ ବରଣ କରିଥିବା ପରିବାର ଙ୍କୁ ଦିଗପହଣ୍ଡି ଅତିରିକ୍ତ ତହସିଲଦାର,ଆର,ଆଇ ଏବଂ କର୍ମଚାରୀ ପହଞ୍ଚି ରେଡକ୍ରସ୍ ରୁ ସାହାର୍ଯ୍ୟ ପ୍ରଦାନ କରିଛନ୍ତି। ଘଟଣାପରେ ଫାସିଗୁଡା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଓ ପୂର୍ବତନ ସରପଞ୍ଚ ଦିଲୀପ ସେଠୀ ପହଞ୍ଚି ପରିବାରକୁ ସାନ୍ତ୍ଵନା ଦେବା ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।


