ମଧ୍ୟାହ୍ନ ଭୋଜନରେ ପୋକ, ଭିଡିଓ ଭାଇରାଲ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶିଶୁଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । ଶିଶୁଙ୍କୁ ମାଗଣା ପୋଷାକ, ଜୋତା, ମୋଜା, ପାଠ୍ୟ ପୁସ୍ତକ ସମେତ ପୃଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଣ କରୁଛନ୍ତି। ହେଲେ ବହୁ ସମୟରେ ଶିଶୁଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କେତେବେଳେ ନିମ୍ନ ମାନର ତ କେତେବେଳେ ଖାଦ୍ୟରୁ ପୋକ, ଝିଟିପିଟି, ବିଛା ଓ ଅସରପା ବାହାରୁଥିବା ନଜିର ରହିଛି। ବୁଧବାର ଏଭଳି ଏକ ଘଟଣା ହିଞ୍ଜିଳିକାଟୁ ବ୍ଲକ୍ ସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ରେ ଦିଆଯାଇଥିବା ଭାତରେ ପୋକ ବାହାରିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତରୁ ପୋକ ବାହାରିବା ପରେ ଶିକ୍ଷାର୍ଥୀ ମାନେ ଖାଦ୍ୟକୁ ନଖାଇ ଫୋପାଡି ଦେଇଥିବା ଜଣାପଡିଛି । ଘଟଣା ନେଇ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧରଙ୍କୁ ପଚାରିବାରୁ ସେ କୁହନ୍ତି ମଧ୍ୟାହ୍ନ ଭୋଜନ ଭାତରୁ ପୋକ ବାହାରିବା ଘଟଣା ନେଇ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଠାରୁ ଅବଗତ ହେବା ପରେ ଘଟଣା ନେଇ ମଧ୍ୟାହ୍ନ ଭୋଜନ ଯୋଗାଣ କରୁଥିବା ମାନା ଟ୍ରଷ୍ଟକୁ ଗୁରୁବାର ଅଭିଯୋଗ କରାଯିବ। ପ୍ରକାଶ ଥାଉକି ପୂର୍ବରୁ ମାନା ଟ୍ରଷ୍ଟ ପକ୍ଷରୁ ଯୋଗାଣ କରାଯାଉଥିବା ମଧ୍ୟାହ୍ନ ଭୋଜନରେ ହିଞ୍ଜିଳିକାଟୁ ପୌରାଞ୍ଚଳର ରେଗିଡି ପ୍ରାଥମିକ ବିଦ୍ୟାଳୟ, ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହିଞ୍ଜିଳି ପ୍ରାଥମିକ ବିଦ୍ୟାଳୟରେ ଝିଟିପିଟି, ବିଛା ବାହାରିଥିଲା । ବୁଧବାର ଏଭଳି ଘଟଣା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ