ବର୍ଷିୟାନ ଶିକ୍ଷାବିତ ବୀରକିଶୋର ରାଉତଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ଚରପଡା ଗ୍ରାମର ଆଦର୍ଶ ବର୍ଷିୟାନ ଶିକ୍ଷାବିତ ବୀରକିଶୋର ରାଉତଙ୍କର ୮୨ବର୍ଷ ବୟସରେ ଗତ ସୋମବାର ବିୟୋଗ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଚିକିତ୍ସାଧୀନ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ୩ପୁଅ, ବୋହୁ, ନାତି, ନାତୁଣୀ, ଆତ୍ମୀୟ ସ୍ୱଜନ ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଜ୍ୟେଷ୍ଠପୁତ୍ର ଦର୍ପହରି ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗ ଖବର ପାଇବା ପରେ ଚରପଡା ଗ୍ରାମରେ ଶିକ୍ଷାବିତ ବ୍ରଜକିଶୋର ପତି, ଡକ୍ଟର ପ୍ରଭାତ ରଞ୍ଜନ ମହାନ୍ତି, ଲକ୍ଷ୍ମୀଧର ରାଉତ, କାହ୍ନୁଚରଣ ଜେନା, ବୈରାଗି ଚରଣ ପଣ୍ଡା ପ୍ରମୁଖ ପହଞ୍ଚି ତାଙ୍କ ପରିବାର ସ୍ୱଜନଙ୍କୁ ଭେଟି ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ମୃତ୍ୟୁରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ୫ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ସଂସଦ ଆବାହକ ମୂରଲୀଧର ବିଶ୍ୱାଳ, ସଦସ୍ୟ ଡଃ. ନୃସିଂହ ଚରଣ ବେହେରା, କେଶବ ଚନ୍ଦ୍ର ବିଶ୍ୱାଳ, ଶିକ୍ଷକନେତା ପ୍ରଣବ କୁମାର ଜେନା, ସମାଜସେବୀ ଇଂ ମୂରଲୀଧର ସେଠୀ, କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ, ସଭାପତି ଆଡଭୋକେଟ ପ୍ରତାପ ମହାପାତ୍ର, ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସଭାପତି ଡଃ. ଶ୍ରୀବତ୍ସଲାଞ୍ଛନ ଜେନାଙ୍କ ସମେତ ସଂସଦର ବହୁ ସଦସ୍ୟ, ନିକିରାଇ ଓ ଇନ୍ଦୁପୁର ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ରାଉତ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ କେନ୍ଦ୍ରାପଡା ବ୍ଲକର କଂସାର -ସାହାସପୁର ସ୍କୁଲ ଓ ଚରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ଜଣେ ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରୂପେ ପରିଚିତ ଥିଲେ ।