ଆର୍ଯ୍ୟ ସମାଜ ପକ୍ଷରୁ ୧୫୨ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଦସ୍ୟ, ଓଡ଼ିଶାରେ ଆର୍ଯ୍ୟ ସମାଜର ପ୍ରଥମ ବାର୍ତ୍ତାବହ, ଗଞ୍ଜାମ ଜିଲ୍ଲାର ପ୍ରଥମ ସ୍ନାତକ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ ସଭାପତି, ‘ସଂସ୍କାରକ’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ, ଓଡ଼ିଶାରେ ନାରୀଶିକ୍ଷା ଓ ବିଧବା ବିବାହର ପ୍ରଥମ ପ୍ରୋତ୍ସାହକ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୨ତମ ଜୟନ୍ତୀ ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ ସମ୍ପାଦକ ସ୍ୱର୍ଗତ ନିରଞ୍ଜନ ପଟ୍ଟନାୟକଙ୍କ ସୁପୁତ୍ରୀ, ଭାରତବର୍ଷର ନାରୀ ଜାଗରଣର ଅନନ୍ୟା ନେତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ, ପୂର୍ବତନ ସାଂସଦ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ, ବିଂଶ ଶତାବ୍ଦୀର ଆଦ୍ୟ ଦଶକର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ସୁରକ୍ଷା ଦେଇଥିବା, ଗୋପାଳ ଚନ୍ଦ୍ର ପ୍ରହରାଜ, ନିଳମଣି ବିଦ୍ୟାରତ୍ନ ପ୍ରମୁଖ ଶ୍ରୀବତ୍ସ ପଣ୍ଡାଙ୍କୁ ସଂସ୍କାରକ ଭାବେ ସମ୍ବୋଧନ କରିବା ପରେ ସମଗ୍ର ଓଡ଼ିଶାରେ ସେ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଭାବେ ପରିଚିତ ହୋଇଥିଲେ । ସେ ଅତ୍ୟନ୍ତ ସ୍ପଷ୍ଟବାଦୀ ଥିଲେ । ସେ ପ୍ରକୃତରେ ଓଡ଼ିଆ ଜାତିର ଚିର ନମସ୍ୟ । ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, କେନ୍ଦ୍ରୀୟ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଆର୍ତ୍ତତ୍ରାଣ ମିଶ୍ର କେତୋଟି ଐତିହାସିକ ଉଦାହରଣ ଦେଇ, ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରଦତ୍ତ ଉପାଧି ‘ଉତ୍କଳର ବିଦ୍ୟାସାଗର’ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଦକ୍ଷିଣ ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଦୀର୍ଘ ୫୦ ବର୍ଷ ଧରି କାର୍ଯ୍ୟ କରୁଥିବା ପାକ୍ଷିକ ଘଡ଼ଘଡ଼ିର ସମ୍ପାଦକ ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କୁ ପ୍ରଫେସର ଶତପଥି ଓ ସ୍ୱାମିଜୀ ମିଳିତ ଭାବେ ମାନପତ୍ର, ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରି ‘ସଂସ୍କାରକ ଶ୍ରୀବତ୍ସ ପଣ୍ଡା’ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମହାପାତ୍ର କହିଲେ ଯେ, ଓଡ଼ିଆ ଜାତି ପାଇଁ ଶ୍ରୀବତ୍ସ ପଣ୍ଡାଙ୍କର ଅବଦାନକୁ, ଓଡ଼ିଆ ଜାତି ଠିକଣା ଭାବେ ମୂଲ୍ୟାୟନ କରିନାହିଁ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ଶିକ୍ଷାବିତ୍ ଡ଼ଃ ସୌରେନ୍ଦ୍ର କୁମାର ମହାପାତ୍ର, ପୂର୍ବ ପ୍ରଶାସକ ଗୋପାଳ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସମାଜସେବୀ ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ବାସ୍ତୁବିତ ଡଃ ମନୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଜନ୍ମେଜୟ ନାୟକ, ନଳିନୀକାନ୍ତ ରାଉତ, ଭବାନୀକାନ୍ତ ରାଉତ, ପଣ୍ଡିତ ବିନୋଦ ବିହାରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଭଜନ ପରିବେଷଣ କରିଥିଲେ ରଞ୍ଜନ କୁମାର ସାହୁ ଓ ତାଙ୍କ ସାଥୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ