ରାଜ୍ୟସ୍ତରୀୟ ଗାନ୍ଧୀ ଆଦର୍ଶ ଓ ଗୋପବନ୍ଧୁ ସେବା ସମ୍ମାନ ପ୍ରଦାନ ସମାରୋହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ ଟ୍ରଷ୍ଟ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧାର ଚତୁର୍ଥ ରାଜ୍ୟସ୍ତରୀୟ ଗାନ୍ଧୀ ଆଦର୍ଶ ଓ ଗୋପବନ୍ଧୁ ସେବା ସମ୍ମାନ ପ୍ରଦାନ ସମାରୋହ ୨୦୨୨ ମହା ସମାରୋହରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ହରିହର କାନନୁଗୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ ଘଟିକାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପାଳିତ ଏହି ରାଜ୍ୟସ୍ତରୀୟ ଆସରରେ ଉଦ୍ଘାଟକ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ଟୁଡୁ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ତଥା ମାର୍ଗଦର୍ଶକ କବି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭାଷା ସଂସ୍କୃତିବିତ୍ ପଦ୍ମବିଭୂଷଣ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ସାରସ୍ୱତ ସାଧକ ହରପ୍ରସାଦ ଦାସ, ପାରିକୁଦ ମହାରାଜ ସନ୍ତୋଷ ସିଂଦେଓ, ରୁଚି ମସଲାର ମୁଖ୍ୟ ଶ୍ରୀମତୀ ସଙ୍ଗୀତା ସାହୁ, ଚଳଚ୍ଚିତ୍ର ସଂଳାପକାର ଡଃ ରଜନୀ ରଞ୍ଜନ ଦାସ, ଅର୍ଚ୍ଚନା ଦାସ, ବିଦେଶୀ ନାୟକ ଶ୍ରୀମତୀ ଅନିତା ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଗଠନମୂଳକ ଉଦ୍ବୋଧନ ଦେଇ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଯୁବ ସାରସ୍ୱତ ସାଧକ ବଳରାମ ତରାଇ ପ୍ରାରମ୍ଭରେ ତାଙ୍କର ଅଭିବ୍ୟକ୍ତି ପ୍ରଦାନ କରି ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲେ । ସମ୍ପାଦକ ଯୁବ ଶିଳ୍ପଦ୍ୟୋଗୀ ସୁନୋଧ କୁମାର ସାହୁ ସହାସ୍ୟ ବଦନରେ ଗତ ଦୁଇବର୍ଷର କାର୍ଯ୍ୟ ବିବରଣୀ ଉଲ୍ଲେଖ କରିଥିଲେ । ଶାରଦୀୟ ବିଶେଷାଙ୍କର ସମ୍ପାଦିକା ଶିକ୍ଷୟିତ୍ରୀ ଶ୍ରୀମତୀ ସରସ୍ୱତୀ ନାୟକ ପତ୍ରିକାର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ବିଶେଷକରି ବରିଷ୍ଠ ସଦସ୍ୟ ଓ ସାରସ୍ୱତ ସାଧକ ଶ୍ରୀଯୁକ୍ତ ନିରୋଜ ଜେନା ଅତିଥିମାନଙ୍କୁ ସ୍ୱାଗତ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କବି ଓ ସମାଜସେବୀଙ୍କ ତଦାରଖ ଦାୟିତ୍ୱ ବେଶ ପ୍ରଶଂସନୀୟ ଥିଲା । ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଶିକ୍ଷକ ତଥା ବହୁମୁଖୀ ପ୍ରତିଭାବାନ ବରେଣ୍ୟ ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଶିଶୁ କଳାକାରମାନଙ୍କୁ ନେଇ ଗାନ୍ଧୀଙ୍କ ରାମରାଜ୍ୟ ନାଟକ ବେଶ ଦର୍ଶକୀୟ ଖୋରାକ ଯୋଗାଇ ଆସରକୁ ସରସ ସୁନ୍ଦର କରି ତୋଳିଥିଲା । ଅନ୍ୟତମ ଯୁବ ସମାଜସେବୀ ଏବଂ ଜଣେ ବହୁବିଧ ସେବା ପ୍ରତିଭାର ଅଧିକାରଣୀ ଶ୍ରୀମତୀ ଉଷାରାଣୀ ସାହୁ ଉକ୍ତ ଉତ୍ସବରେ ମହୁମାଛି ଭଳି ଯୋଗଦାନ, ନିର୍ବିକାର ସହଯୋଗ ଏବଂ ଅତିଥିମାନଙ୍କୁ ଆତିଥେୟରେ ନିର୍ବିକାର ସହଯୋଗ ପାଇଁ ସେ ବେଶ୍ ପ୍ରଶଂସିତ ହୋଇଥିଲେ । ଏହି ଉତ୍ସବରେ ତାଙ୍କର ସାହାଯ୍ୟ ସହଯୋଗ ବେଶ୍ ବାରି ହୋଇପଡ଼ିଥିଲା । ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ତଥା ମଞ୍ଚ ଉପସ୍ଥାପକ ଓ କବି ଶ୍ରୀ ଭଜକୃଷ୍ଣ ମହାନ୍ତି ତାଙ୍କର ସୁଲଳିତ ଢଙ୍ଗରେ ମଞ୍ଚରେ କାର୍ଯ୍ୟକ୍ରମ, ଅତିଥି ପରିଚୟ ଏବଂ କବିତା ଆସରକୁ ଆମୋଦିତ ଢଙ୍ଗରେ ସଂଯୋଜନା କରି ଦର୍ଶକଙ୍କ ମନ ଜିଣି ପାରିଥିଲେ ଏବଂ ଦର୍ଶକୀୟ ଆଦୃତି ଲାଭ କରିଥିଲେ । ବର୍ଷାଜନିତ ପ୍ରତିକୂଳ ପାଗ ସତ୍ତ୍ୱେ ଜୟଦେବ ଭବନ ପ୍ରେକ୍ଷାଳୟ ଭରପୁର ଥିଲା । ପ୍ରଥମ ଥର ପାଇଁ ଗୋଟିଏ ସାରସ୍ୱତ ସଭାରେ ଏତେ ଦର୍ଶକ ଯୋଗୁ ଆୟେଜକମାନେ ଉଲ୍ଲସିତ ଥିଲେ । ଅନୁଷ୍ଠାନ ସର୍ବମାନ୍ୟ ମୁଖିଆ ସମ୍ମାନୀୟ ଶ୍ରୀ ଚକ୍ରଧର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ କୃତଜ୍ଞତା ଜ୍ଞାପନ କରିଥିଲେ ।