ପ୍ଲାଷ୍ଟିକ୍‌ର ଧ୍ୱଂସସ୍ତୁପରେ ପୃଥିବୀ

ସମ୍ପ୍ରତି ପ୍ଲାଷ୍ଟିକ୍‌ର ବ୍ୟାପକ ପ୍ରୟୋଗ ପରିବେଶବିତ୍‌ମାନଙ୍କୁ ଚିନ୍ତାରେ ପକାଇଛି । ଏଥିଯୋଗୁଁ ପୃଥିବୀ ଧ୍ୱଂସସ୍ତୁପରେ ପରିଣତ ହେବାକୁ ଯାଉଛି । ଶିଳ୍ପାୟନ ସହିତ ଜିନିଷ ପତ୍ର ନେବା ଆଣିବାରେ ସୁବିଧା ପାଇଁ ଲୋକେ ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି । ଦିନେ ଯେ ଏହା ଯୋଗୁ ପୃଥିବୀ ଧ୍ୱଂସସ୍ତୂପରେ ବସିବ ତାହା ମଣିଷ କେବେ ମଧ୍ୟ କଳ୍ପନା କରି ନ ଥିଲା । ଏପ୍ରକାର ପ୍ଲାଷ୍ଟିକ ସହଜରେ ମାଟିରେ ବିଘଟିତ ହୋଇ ପାରି ନ ଥାଏ । ଫଳରେ ଏହା ପରିବେଶ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଦୈନଦିନ ଜୀବନରେ ଆମେ ବ୍ୟବହାର କରୁଥିବା ପାଣି ବୋତଲ, ଜିନିଷପତ୍ର ଆଣିବାରେ ବ୍ୟବହାର କରୁଥିବା ପଲିଥିନ୍‌, ଷ୍ଟ୍ର, ଚା କପ୍‌, ଗ୍ଲାସ୍‌, ପ୍ଲେଟ୍‌, ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍ । ଏହାକୁ ଥରେ ମାତ୍ର ବ୍ୟବହାର କରାଯାଇଥାଏ । ପୃଥିବୀରେ ଇ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ହୋଇଥାଏ । ଭାରତରେ ଏଭଳି କମ୍ପାନୀଗୁଡ଼ିକ ୪୦ ପ୍ରତିଶତରୁ ଅଧିକ ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍ ବ୍ୟବହାର କରିଥାନ୍ତି । ତେବେ ଏହାର କୁପ୍ରଭାବ ସମ୍ପର୍କରେ ଜଣାପଡ଼ିବା ପରେ ଅନେକ ବଡ଼ ବଡ଼ ଇ-କମର୍ସ କମ୍ପାନୀ ଏହାର ବ୍ୟବହାରକୁ କମ୍ କରିଛନ୍ତି ।
ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଆମେ ବାସ କରୁଥିବା ପୃଥିବୀ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ୟୁରୋପିଆନ୍ ସଂଘ ପକ୍ଷରୁ ୨୦୨୧ ସୁଦ୍ଧା ଏହାର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ସେହିପରି ଚାଇନାରେ ୨୦୨୫ ସୁଦ୍ଧା ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ପୃଥିବୀରେ ପ୍ରତିବର୍ଷ ୩ ଶହ ନିୟୁତ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି । ସେଥିମଧ୍ୟରୁ ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ ୧୫୦ ନିୟୁତ ଟନ୍ ରହିଥାଏ । ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ମଧ୍ୟରୁ ପ୍ରାୟ ୧୦ରୁ ୧୩ ପ୍ରତିଶତ ପ୍ଲାଷ୍ଟିକ୍ ମାଟିରେ ବିଘଟନ ହେଉଥିବାବେଳେ ଅବଶିଷ୍ଟ ପ୍ଲାଷ୍ଟିକ୍ ପରିବେଶ ପ୍ରଦୂଷଣ କରିଥାଏ । କେତେକ ଏହାକୁ ଜଳାଇ ଥାନ୍ତି । ଏଥିରୁ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳରେ ବ୍ୟାପିଯାଇଥାଏ । ଏଭଳି ବାୟୁକୁ ନିଶ୍ୱାସରେ ନେବା ଯୋଗୁ ବହୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ । ସେହିଭଳି ଏହା ମୃତ୍ତିକାକୁ ମଧ୍ୟ ପ୍ରଦୂଷିତ କରିଥାଏ । ପୃଥିବୀ ଧ୍ୱଂସମୁଖ ଆଡ଼କୁ ଅଗ୍ରସର ହେଉଥିବାବେଳେ କେବଳ ସଚେତନତା ସୃଷ୍ଟି ଦ୍ୱାରା ହିଁ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । କୌଣସି ଦେଶର ସରକାରଙ୍କ ତୁଳନାରେ ଏଥିରୁ ମୁକ୍ତି ପାଇବା ଲାଗି ସାଧାରଣ ଜନତାଙ୍କ ମଧ୍ୟରେ ଆମେ କିଭଳି ଆମ ପୃଥିବୀ ମା’କୁ ସୁରକ୍ଷିତ ରଖିବା, ସେଭଳି ଭାବନା ଜାଗ୍ରତ ହେଲେ ଏଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ