କାହା ସ୍ୱାର୍ଥରେ ବିଜୁ ସେତୁ ଯୋଜନା ?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାର ବିଜୁ ସେତୁ ଯୋଜନା ନାଁରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ।ହେଲେ ଏହି ସେତୁ ଯୋଜନା ଯେମିତି ଲୋକଙ୍କ ପାଲଟିଛି ପ୍ରହସନ ।ନଦୀ ଉପରେ ସେତୁ ନିର୍ମାଣ କରାଯାଉନଥିବାରୁ ଗମନାଗମନ ପାଇଁ ବିଦ୍ୟୂତ ତାର ହିଁ ଭରଷା । ଭରାନଈର ଦୁଇ ତଟରେ ଥିବା ଦୁଇଟି ଗଛକୁ ଗୋଟିଏ ବିଦ୍ୟୁତ୍ ତାର ଦ୍ଵାରା ବନ୍ଧା ଯାଇଛି । ତଳେ ଉଛୁଳା ନଈ ଉପରେ ବିଦ୍ୟୁତ୍ ତାର ।ଆଉ ଲୋକେ ସେହି ବିଦ୍ୟୁତ ତାର ଧରି ପାର ହେଉଛନ୍ତି ଭରାନଈ ।ଯଦି ହାତ ଖସିଯାଏ କିମ୍ବା ବିଦ୍ୟୁତ ତାର ଛିଡିଯାଏ ତାହେଲେ ନଦୀରେ ଭାସିଯାଇ ଜୀବନ ଯିବାର ରହିଛି ଯଥେଷ୍ଠ ସମ୍ଭାବନା ।ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁରୁଝୁଳୀ ଓ ଗରଡମା ପଞ୍ଚାୟତ ମଧ୍ୟରେ ଥିବା ହରଭଙ୍ଗି ନଦୀର ଦୃଶ୍ୟ । ନଦୀର ଆରପଟେ ଗରଡମା ପଞ୍ଚାୟତର ଗମ୍ଭାରୀ ଗାଁ ଭଳି ଅନେକ ଗାଁ ରହିଥିବା ବେଳେ ନଦୀର ଏପଟେ ରାଜବସା,କୁଟୀପଦର ଓ ଗାଙ୍ଗୁଡିପଙ୍କାଳ ଭଳି ଅନେକ ଗାଁ ରହିଛି ।ହେଲେ ଉଭୟ ପଞ୍ଚାୟତବାସୀ ସମସ୍ତ ସୁବିଧା ଦୃଷ୍ଟିରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ଏଠାରେ ପୋଲ ଖଣ୍ଡିଏ ନିର୍ମାଣ କରାଯାଉନଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି । ଏଠାରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ସ୍ଥାନୀୟ ନେତାଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଗାଙ୍ଗୁଡିପଙ୍କାଳ ଓ ରାଜପୁର ଗ୍ରାମବାସୀ ଗୁରୁଝୁଳୀ ପଞ୍ଚାୟତରେ ଥିଲେ ମଧ୍ୟ ସେମାନଙ୍କ ପାଇଁ ଭଲ ରାସ୍ତା ନଥିବାରୁ, ନଦୀ ଆରପଟେ ଥିବା ଗରଡମା ପଞ୍ଚାୟତର ଗମ୍ଭାରୀ ଗାଁ ଉପରେ ନିର୍ଭର କରନ୍ତି ଗ୍ରାମବାସୀ । ବର୍ଷା ସମୟରେ ନଦୀ ପାର ହେବା ପାଇଁ କଷ୍ଟ ଥିଲେ ମଧ୍ୟ ଅନ୍ୟ ସମୟରେ ବାଇକ ମଧ୍ୟ ନଦୀ ଭିତରେ ବୋହି ନେଇ ଗମ୍ଭାରୀ ଗାଁରେ ପହଞ୍ଚିବାକୁ ବାଧ୍ୟ ହେଉଛନ୍ତି ।ଏମିତି ନଦୀ ପାର ହେବା ବେଳେ ଜୀବଜନ୍ତୁ ଠାରୁ ଆରମ୍ଭ କରି ମଣିଷର ଜୀବନ ହାନି ମଧ୍ଯ ଘଟୁଥିବା ଅଭିଯୋଗ କରିଛନ୍ତିି ଖଗେଶ୍ବର ଦଳବେହେରା, ତରଣୀସେନ ଦଳାଇ, ରୟାଲ ମାଝୀ।ଯଦି ଏଠାରେ ସେତୁ ନିର୍ମାଣ କରାଯାଏ ତେବେ ଗରଡମା ପଞ୍ଚାୟତ ଅଞ୍ଚଳବାସୀଙ୍କ ସହ ପଡୋଶୀ ଜିଲ୍ଲା ଓ ମୋହନା ବ୍ଲକ୍ ଅଞ୍ଚଳର ଲକ୍ଷ ଲକ୍ଷ ଜନସାଧାରଣ ମଧ୍ୟ ଗମନାଗମନ ଦୃଷ୍ଟିରୁ ଯଥେଷ୍ଟ ସୁବିଧା ପାଇପାରନ୍ତେ ।ହେଲେ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ, ଏଠାରେ ପୋଲନିର୍ମାଣ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ