ପୁର୍ବ ବିବାଦକୁ ନେଇ ତେମଳା ଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଆହତ, ୪ଗୁରୁତର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ତେମଳା ଗ୍ରାମରେ ପୁର୍ବ ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ୬ଜଣ ଆହତ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଥିବା ଜଣାଯାଇଛି । ମିଳିଥିବା ସୁଚନାରୁ ଜଣାଯାଇଛି ଯେ ଗ୍ରାମର ଅଧର ବେହେରା ଓ ଚନ୍ଦ୍ରଶେଖର ଜେନାଙ୍କ ପରିବାର ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ଲାଗି ରହିଛି । ଗତକାଲି ଦୀପାବଳୀ ପାଳନ ଅବସରରେ ବେହେରା ଘର କିଛି ପିଲା ରାସ୍ତାରେ ବାଣ ଫୁଟାଉଥିଲେ । ଏହି ସମୟରେ ଚନ୍ଦ୍ର ଶେଖରର ଭାଇ ରମେଶ ସେହି ବାଟଦେଇ ଯାଉଥିବାବେଳେ ବାଣ ଫୁଟାଉଥିବା ପିଲାମାନେ ରାସ୍ତାକୁ ଏକ ବାଣ ଫିଙ୍ଗି ଦେଇଥିଲେ । ଏହାକୁ ରମା ବିରୋଧ କରିବା ସହିତ ପାଟି କରିବାରୁ ଉଭୟ ପରିବାର ମଧ୍ୟରେ ଝଗଡା ହେବାସହ ଏହା ସଂଘର୍ଷର ରୁପ ନେଇଥିଲା । ଫଳରେ ଉଭୟ ପକ୍ଷରୁ ରମେଶ ଚନ୍ଦ୍ର ଜେନା, ସୁଶାନ୍ତ ମହାପାତ୍ର, ନିହାର ରଞ୍ଜନ ବେହେରା, ସ୍ମିତ ରଞ୍ଜନ ବେହେରାଙ୍କ ସମେତ ୬ଜଣ ଆହତ ହୋଇଥିବା ଜଣାଯାଇଛି । ସେମାନଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତନ୍ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହାକୁନେଇ ଗାଁରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ଖବରପାଇ ନନ୍ଦିପଦା ପୁଲିସ ଗାଁରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇ ନଥିବା ଥାନା ଆଇଆଇସି କହିଛନ୍ତି । ପରିସ୍ଥିତି ଉତ୍ତେଜନା ପୁର୍ଣ୍ଣ ଥିବାରୁ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ସେ ସୁଚନା ଦେଇଛନ୍ତି ।