ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ: ଯୁବକଙ୍କୁ ମିଳିଲା ଜାମିନ
ହାଟଡିହି,(ଓ୍ବାଇଏନଏସ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଯୁବକକୁ ଗୁରୁବାର ଜାମିନ ମିଳିଛି l ଆନନ୍ଦପୁର ଏଡିଜେଙ୍କ କୋର୍ଟ ତରଫରୁ ଜାମିନ ପ୍ରଦାନ କରାଯାଇଥିବା ଅଭିଯୁକ୍ତଙ୍କ ଓକିଲ ସଞ୍ଜୟ ମିଶ୍ର କହିଛନ୍ତି l ସୂଚନା ଯୋଗ୍ୟ, ଗତ ଅଗଷ୍ଟ ୨ ତାରିଖ ରବିବାର ସକାଳୁ ଅଭିଯୁକ୍ତ ଯୁବକ କଳିଙ୍ଗା ପଞ୍ଚାୟତ ଇଚ୍ଛାପୁର ଗ୍ରାମର ସୁବାଷ ଦାସଙ୍କ ପୁଅ ସୁଶାନ୍ତ (୨୮ ବର୍ଷ)ଙ୍କୁ ତାଙ୍କ ନିଜ ଗ୍ରାମରୁ ପୋଲିସ ଗିରଫ କରିଥିଲା l ସୁଶାନ୍ତ ନିଜ ଫେସ ବୁକ ଆଇଡି ‘ଦାସ କୁମାର ଦାସ ସୁଶାନ୍ତ’ ରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଲେଖି ଭିଡିଓ ପୋଷ୍ଟ କରିଥିଲେ l ଏପରିକି ଉକ୍ତ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଥିଲା l ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ କଳିଙ୍ଗା ଗ୍ରାମର କହ୍ନେଇ ଚରଣ ଦାସ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ l ପୋଲିସ ମାମଲା ନଂ ୩୧୪/୨୦୨୬ ପଞ୍ଜିକରଣ କରିଥିଲା l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନେଇ ମାମଲା ପଞ୍ଜିକରଣ ହେବାର ପରଦିନ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିଥିଲେ l


