ଜିଲ୍ଲା ସ୍ତରୀୟ ପରିମଳ ଓ ବର୍ଜ୍ୟବସ୍ତୁ ସମ୍ୱନ୍ଧୀୟ କର୍ମଶାଳା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ପରିମଳ ଓ ବର୍ଜ୍ୟବସ୍ତୁ ସମ୍ୱନ୍ଧୀୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏକ ଦିବସୀୟ କର୍ମଶାଳାଟିରେ ଜିଲ୍ଲାର ସମସ୍ତ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ରହ୍ମପୁର ମହନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ଏବଂ ସଂପୃକ୍ତ ଅଧିକାରୀ ମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥାର ସୁପରିଚାଳନା ସକାଶେ ଜାରି କରାଯାଇଥିବା ପରିଚାଳନା ଗତ ନିୟମାବଳୀକୁ ସତେଜତା କରିବା ସହିତ ଏହାର କାର୍ଯ୍ୟକାରୀତା ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ସ୍ୱତନ୍ତ୍ର ସଚିବ ତଥା ମିଶନ ନିର୍ଦ୍ଧେଶକ କଲ୍ୟାଣ କୁମାର ରଥ ଉପସ୍ଥିତ ରହି ପରିଚାଳନା ଗତ ସମସ୍ତ ବିଷୟଵସ୍ତୁ ସମ୍ପର୍କରେ ଅବଗତ କରାଇ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଯେଉଁ ସବୁ କାର୍ଯ୍ୟପନ୍ଥା ସ୍ଥିର କରି ଆଗାମୀ ଦିନରେ କାର୍ଯ୍ୟ କରିବେ ସେହି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସଚ୍ଚିଦାନନ୍ଦ ନାୟକ କର୍ମଶାଳାଟିର ପରିଚାଳନା କରି ସ୍ଵଛ ସର୍ବେକ୍ଷଣ ଯୋଜନା ଅନ୍ତର୍ଗତ ” ମୋ ସହର, ମୋ ପରିଚୟ ୨୦୨୩ ” ମସିହାର କାର୍ଯ୍ୟ କାରିତା ଘେନି କିଭଳି କାର୍ଯ୍ୟ ଖସଡ଼ା ରହିଛି ତାହା ଜଣାଇ ଏହାର ସଫଳତା ଦିଗରେ ସମସ୍ତ ଅଧିକାରୀ ମାନଙ୍କ ଗୁରୁ ଦାଇତ୍ୱ ଥିବା ଅବଗତ କରାଇ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଘର ମଧ୍ୟରୁ ନିର୍ଗତ ହେଉଥିବା ବର୍ଯ୍ୟବସ୍ତୁ ଗୁଡିକୁ ୨୦୧୯ ମସିହା ଠାରୁ ବାହାରେ ଫୋପଡ଼ା ନ ଯାଇ ଏହାର ସୁପରିଚାଳନା କରାଯାଇ ସେଥି ମଧ୍ୟରୁ ଖତ ପ୍ରସ୍ତୁତ ହୋଇ ଅର୍ଥ ଉପାର୍ଜନ ହେବା ସହିତ ସେହି କାର୍ଯ୍ୟରେ ନିୟୋଜିତ ଥିବା ଗୋଷ୍ଠିଗଣ ଆର୍ଥିକ ସ୍ୱାବଲମ୍ବି ହୋଇପାରୁଛନ୍ତି । ମୋ ଖତରେ ବିଗତ ବର୍ଷ ଅଢେଇ କୋଟି ଏବଂ ଚଳିତ ବର୍ଷ ଏଯାବତ ପାଞ୍ଚ କୋଟି ଆଦାୟ ହୋଇଥିବା ଜଣା ପଡିଛି । ମୋ ଖତରେ ରାଜସ୍ବ ଆଦାୟ, ପୁନଃଚକ୍ରଣ ଏବଂ ୟୁଜର୍ସ ଫିସ୍ ଆଦାୟ ସମ୍ପର୍କରେ ରହିଥିବା ବିଭିନ୍ନ ଦିଗ ଉପରେ ଅବଗତ କରାଯାଇଥିଲା । ବର୍ଜ୍ୟବସ୍ତୁ ପରିଚାଳନା ଘେନି ପ୍ରତିଘର ପିଛା ଦୈନିକ ଏକ ଟଙ୍କା ହିସାବରେ ମାସକୁ ୩୦ ଟଙ୍କା ୟୁଜର୍ସ ଫିସ୍ ଆଦାୟ କରିବା ନିୟମ ରହିଛି । ମାସିକ ୫୯,୬୯,୬୯୦.୦୦ଲକ୍ଷ ଟଙ୍କା ଆଦାୟ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତ ୦୧.୦୭.୨୦୨୧ ରିଖରୁ ୩୦.୦୬.୨୦୨୨ ପର୍ଯ୍ୟନ୍ତ ସମୁଦାୟ ୭,୧୬,୩୬,୨୮୦ ଲକ୍ଷ ଟଙ୍କା ଆଦାୟ ହୋଇଥିବା ଜଣାପଡିଛି । ଜୁଲାଇ ପହିଲା ୨୦୨୨ ଠାରୁ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବା ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ଆମ ସହର କିଭଳି ପ୍ଲାଷ୍ଟିକ ମୁକ୍ତ ହେବ ସେ ଦିଗରେ ସଚେତନତାର ଆବଶ୍ୟକତା ସମ୍ପର୍କରେ ଜଣାଯାଇ ଏହା କିଭଳି ସଫଳ କାର୍ଯ୍ୟକ୍ଷମ ହେବ ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ପୌର ସଂସ୍ଥା ଯନ୍ତ୍ରୀ ମାନଙ୍କ ଭୂମିକା ଓ ଦକ୍ଷତା ସମ୍ପର୍କରେ ଅବଗତ କରାଯାଇଥିଲା । ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ନିମନ୍ତେ କେଉଁ ସବୁ ପନ୍ଥା ଗ୍ରହଣ କରି କାର୍ଯ୍ୟ କରିବା ଆବଶ୍ୟକ ତାହା ବୁଝେଇ ଦିଆଯାଇଛି । ଜିଲ୍ଲା ସ୍ତରୀୟ କମିଟି ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଗଠିତ ହୋଇ ଏହା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଏହାର ନୋଡାଲ ଅଧିକାରୀ ଭାବେ ଦାୟୀତ୍ବ ବହନ କରିବେ। ଗ୍ରାମୀଣ ସହରୀ ରୂପାନ୍ତର ଦିଗରେ ଗଞ୍ଜାମ ଜିଲ୍ଲାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି । ପ୍ରଶିକ୍ଷଣ କାର୍ଯ୍ୟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ଅତିରିକ୍ତ ସଚିବ ଦେବାଶିଷ ସିଂହ, ,ପ୍ରଭାତ କୁମାର ମହାପାତ୍ର, ଦୁର୍ଗେସ ନନ୍ଦିନୀ ସାହୁ, ଯୋଗାଯୋଗ ବିଶେଷଜ୍ଞ ସନ୍ତୋଷ ପଣ୍ଡା, ମୁଖ୍ୟଯନ୍ତ୍ରୀ ଡାକ୍ତର ଉମାକାନ୍ତ ଦାସ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ