କେନ୍ଦ୍ର ସରକାରଙ୍କ ଦେଶ ଓ ସମ୍ବିଧାନ ବିରୋଧୀ ପଦକ୍ଷେପର ଦୃଢ ଜବାବ ଦେବ ଓଡ଼ିଶା ବଞ୍ଚାଅ ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମ ପ୍ରିୟ ଜନ୍ମଭୂମି ଭାରତବର୍ଷ ସ୍ୱାଧୀନତାର ୭୫ବର୍ଷ ପରେ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଘୋର ସଙ୍କଟର ସମ୍ମୁଖୀନ ହୋଇଛି । ସ୍ୱାଧୀନୋତ୍ତର ଭାରତରେ ଯାହା ଘଟିନଥିଲା, ତାହା ଘଟୁଛି । ବିବିଧତା ଭିତରେ ଏକତା ବିପଦଗ୍ରସ୍ତ ହୋଇଛି । ସମ୍ବିଧାନ ଓ ସାମ୍ବିଧାନିକ ସଂସ୍ଥା ଉପରେ ବିଜେପି ଓ ଆରଏସ୍‌ଏସ୍‌ର ଘନ ଘନ ଆକ୍ରମଣ ଜାରି ରହିଛି । ବିଜେପି-ଆରଏସ୍‌ଏସ୍‌ର ସରକାର ଭାରତକୁ ଏକ ଦେଶ, ଏକ ଭାଷା, ଏକ ଧର୍ମରେ ପରିଣତ କରିବା ପଛରେ ଦେଶକୁ ଫାଶିବାଦୀ ଢାଞ୍ଚାରେ ପରିଣତ କରିବା ଷଡ଼ଯନ୍ତ୍ର ସ୍ପଷ୍ଟ । ଏହି ଶେଷ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ପଦକ୍ଷେପ ସେମାନେ ଗ୍ରହଣ କରୁଛନ୍ତି । ଆମ ଦେଶରେ ସିବିଆଇ, ନିର୍ବାଚନ କମିଶନ ଓ ଇଡ଼ି ଆଦି ଭଳି ସମସ୍ତ ସାମ୍ବିଧାନିକ ସଂସ୍ଥାକୁ ଅକ୍ତିଆର କରିବା ସଙ୍ଗେ ସଙ୍ଗେ ଦେଶର ବିଚାର ବ୍ୟବସ୍ଥାକୁ ନିଜ ଇଙ୍ଗିତରେ ପରିଚାଳନା କରାଯାଉଛି । ୩୭୦ ଧାରାର ଉଚ୍ଛେଦ, ସମାନ ନାଗରିକ ସଂହିତା ପ୍ରଣୟନ ସହିତ ସମସ୍ତ ରାଜ୍ୟରେ ଯେକୌଣସି ମତେ ସରକାର ପ୍ରତିଷ୍ଠା କରିବାର ରାଜନୈତିକ କୌଶଳରେ ବିଜେପି ଅଛି । କୌଣସି ଜନ ସମସ୍ୟା ନିତ୍ୟ ବ୍ୟବହାର୍ଯ୍ୟ ଜିିନିଷପତ୍ର ଓ ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦର ବୃଦ୍ଧି ଠାରୁ ଆରମ୍ଭ କରି ଜନଜୀବନରେ ଦେଖାଦେଇଥିବା ଦୁର୍ବିସହ ସମସ୍ୟାଗୁଡ଼ିକୁ ଦୃଷ୍ଟି ହଟାଇବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜନୈତିକ ନାଟକ ଓ ହଟଚମଟ ସୃଷ୍ଟି କରୁଛନ୍ତି । ବିରୋଧୀ ରାଜ୍ୟ ସରକାରଙ୍କୁ ଟର୍ଗେଟ କରୁଛନ୍ତି ଓ ବିଜେପି-ଆରଏସ୍‌ଏସ୍ ବିରୋଧୀ ବୁଦ୍ଧିଜୀବୀ ଏବଂ ଶକ୍ତିବର୍ଗଙ୍କୁ ଦେଶଦ୍ରୋହ ଆଖ୍ୟାରେ ଆଖ୍ୟାୟିତ କରୁଛନ୍ତି । ୟୁପିଏ ଭଳି ଅତ୍ୟନ୍ତ କଠୋର, ଅଗଣତାନ୍ତ୍ରିକ କଳା ଆଇନକୁ ସମାଲୋଚନା ଏବଂ ବିରୋଧୀ ଭିନ୍ନ ମତପୋଷଣ କରୁଥିବା ଶକ୍ତିମାନଙ୍କ ବିରୁଦ୍ଧରେ ବ୍ୟବହାର କରି ବର୍ଷ ବର୍ଷ ଧରି ଜେଲ୍‌ରେ ରଖାଯାଉଛି । ସାଇବାବାଙ୍କ ଭଳି ଭୀଷଣ ରୋଗଗ୍ରସ୍ତ ବୁଦ୍ଧିଜୀବୀଙ୍କ ଦୀର୍ଘବର୍ଷର ଜେଲ୍ ଏହାର ପ୍ରମାଣ । କେନ୍ଦ୍ର ସରକାରଙ୍କ ଏହି ଦେଶ ଓ ସମ୍ବିଧାନ ବିରୋଧୀ ପଦକ୍ଷେପଗୁଡ଼ିକର ଜବାବ ଦେବା ପାଇଁ ଏବଂ ଶାନ୍ତିପ୍ରିୟ ଓଡ଼ିଶାକୁ ବିଜେପିମୁକ୍ତ ଓଡ଼ିଶା କରିବା ପାଇଁ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ ତରଫରୁ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ର ସରକାରଙ୍କର ସମସ୍ତ ଜନିବରୋଧୀ ପଦକ୍ଷେପକୁ ସମର୍ଥନ କରି ଗତ ୨୨ ବର୍ଷ ଧରି ଓଡ଼ିଶାକୁ ଲଗାତର ଶାସନ କରୁଥିବା ବିଜେଡ଼ି ସରକାର ସେହି ସମାନ ମୁଦ୍ରାର ଆଉ ଗୋଟିଏ ପାଶ୍ୱର୍ ହୋଇଯାଇଛନ୍ତି । ପାର୍ଲାମେଣ୍ଟରେ ସମସ୍ତ ବିଲ୍‌କୁ ସମର୍ଥନ ଓ ବିଭିନ୍ନ ସାମ୍ବିଧାନିକ ନିର୍ବାଚନରେ ବିଜେପିକୁ ସମର୍ଥନ ଦେଇ ବିଜେଡ଼ି ବିଜେପିର ବି ଟିମ୍ ହେବାର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡ଼ି ଏହି ରାଜନୈତିକ କୌଶଳରେ ଦୁଇ ଦଳ ଅଛନ୍ତି । ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତାର ନାଁ ଆଉ ବିଜେଡ଼ି ଧରୁନାହିଁ । ଗତ ୨୨ ବର୍ଷ ଭିତରେ ରାଜ୍ୟରେ ଛୁଞ୍ôଚ କାରଖାନାଟିଏ ବି ହୋଇପାରିଲା ନାହିଁ । ହଜାର ହଜାର ଏକର ଜମି ଅଧିଗ୍ରହଣ ହୋଇ ଖାଲି ପଡ଼ିରହିଛି । ଚାଷ ପ୍ରତି ନଜର ନାହିଁ କି ନିଘା ନାହିଁ । ଜଳସେଚନ ଅବସ୍ଥା କହିଲେ ନସରେ । ନିଯୁକ୍ତି ନାହିଁ ଫଳରେ ଦାଦନରେ ରାଜ୍ୟ ଏକନମ୍ବର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ସର୍ବାଗ୍ରେ । ବେକାରଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ରାଜ୍ୟରେ ଖାଲିଥିବା ୨ ଲକ୍ଷରୁ ଅଧିକ ସରକାରୀ ପଦବୀ ପୂରଣ କରାଯାଉ ନାହିଁ । ରାଜ୍ୟର ବିକାଶ ଅର୍ଥ ବିଜେଡ଼ି ଦଳର ପାଣ୍ଠିର ବିକାଶ ଓ ବିଜେଡ଼ି ନେତାମାନଙ୍କ ଆର୍ଥିକ ବିକାଶ । ଚାଷୀ ଆତ୍ମହତ୍ୟାରେ ରାଜ୍ୟ ରେକର୍ଡ଼ କଲାଣି । ପେଟ୍ରୋଲ, ଡ଼ିଜେଲ ଦର ବୃଦ୍ଧି କଥା କହିଲେ ରାଜ୍ୟ ଓ କେନ୍ଦ୍ର ଦୋଷ ଲଦାଲଦି ହେଉଛନ୍ତି । ରାଜ୍ୟରେ ନାବାଳିକାଟିଏ ମଧ୍ୟ ସୁରକ୍ଷିତ ମଣୁନି । ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାର ଜନଗଣ ଦୁର୍ବିସହ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହାର ଫାଇଦା ଉଠାଇ ବିଜେଡ଼ି ବିରାମ ବିହୀନ ଶାସନ କରିଚାଲିଛି । ତା’ର ମୁଖ୍ୟକାରଣ ମିଳିତ ବିରୋଧୀମାନଙ୍କର ବିରୋଧୀ ଆୱାଜର ଅଭାବ ।‘ଓଡ଼ିଶା ବଞ୍ଚାଅ ଅଭିଯାନ’ ରାଜ୍ୟର ଶିଳ୍ପ ଓ କୃଷିର ସନ୍ତୁଳିତ ବିକାଶ ପାଇଁ, ବେକାରୀ ଦୂର ପାଇଁ ବିକଳ୍ପ ନିଯୁକ୍ତି ନୀତି, କୃଷିର ରାଜ୍ୟରେ ଚାଷର ବିକାଶ ପାଇଁ ଯୋଜନାବଦ୍ଧ ଆଗୁଆ ପଦକ୍ଷେପ, ରାଜ୍ୟର ପଛୁଆ ଓ ଅନଗ୍ରସର ଅଞ୍ଚଳର ଉତ୍‌ଥାପନ ପାଇଁ ନିର୍ଦ୍ଦିଷ୍ଟ ଅର୍ଥନୈତିକ ପଦକ୍ଷେପ ଓ ତା’ର ଆକ୍ଷରିକ କାର୍ଯ୍ୟକାରିତା, ମାଛ, ଦୁଗ୍‌ଧ ଓ ପଶୁପକ୍ଷୀ ଫାର୍ମ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦାବି ସହିତ ରାଜ୍ୟ ସାରା ଏକ ବିକଳ୍ପ ବିକାଶର ଅଭିଯାନ ଆରମ୍ଭ କରିବା ପାଇଁ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ ଗଠିତ ହୋଇଛି । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ୧୧ଟି ଦଳର ନେତୃତ୍ୱମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମତାକ୍ରାନ୍ତି ଦଳର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ, ସିପିଆଇ(ଏମ୍‌)ର ସମ୍ପାଦକ ଅଳିକଶୋର ପଟ୍ଟନାୟକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ଅଭୟ ସାହୁ ଓ ଆଶିଷ କାନୁନଗୋ, ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ (ଏମ୍‌ଏଲ) ଲିବରେସନର ଅଶୋକ ପ୍ରଧାନ, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ଜନତା ଦଳ ୟୁର ସଭାପତି ଚିତ୍ତରଞ୍ଜନ ମହାନ୍ତି ଓ ଅଭିମନ୍ୟୁ ବିଶ୍ୱାଳ, ସମୃଦ୍ଧ ଓଡ଼ିଶାର ସଭାପତି କ୍ଷୀତିଶ ଚନ୍ଦ୍ର ମହାନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବିକ୍ରମ ସ୍ୱାଇଁ, ରାଷ୍ଟ୍ରୀୟ ଜନତା ଦଳର ହେମନ୍ତ କୁମାର, ଆରପିଆଇର ଅବଦୁଲ ୱାଲି ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସର୍ବସମ୍ମତିକ୍ରମେ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ର ଆବାହକ ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରଥମ ପଦକ୍ଷେପ ଭାବେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସମ୍ମିଳନୀ କରାଯିବ । ଏହି କ୍ରମରେ ଗଞ୍ଜାମ, ବାଲେଶ୍ୱର, କଟକ, ଜଗତସିଂହପୁର, ପୁରୀ, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ପ୍ରଥମେ ଅଧିବେଶନ ଅନୁଷ୍ଠିତ ହେବ ପରେ ଅନ୍ୟ ଜିଲ୍ଲାମାନଙ୍କରେ ବ୍ୟାପକ ଭାବରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ