ପିଆଜ ଚାଷୀଙ୍କୁ ୪୨ଅରବ ଝଟ୍କା
ମୁମ୍ବାଇ, (ଏଜେନ୍ସି): ବଜାରର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଚୁର ଫସଲ ଦ୍ୱାରା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପିଆଜ ଚାଷୀଙ୍କ ଆମଦାନୀ ୪୨ଅରବ ଟଙ୍କା ହ୍ରାସ୍ ପାଇଛି । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟର ଏକ ରିପୋର୍ଟରେ ଏ ସମ୍ବନ୍ଧରେ ଜଣାପଡ଼ିଛି । ଚଳିତ ବର୍ଷ ଜାନୁଆରୀରେ କୃଷି ବଜାର ଉତ୍ପାଦ ସମିତି (ଏଏମ୍ପିସି) ମାଧ୍ୟମରେ ପାଖାପାଖି ୧୩.୨୨ଲକ୍ଷ ଟନ୍ ପିଆଜ ଟନ୍ ପ୍ରତି ୧୩,୭୬୦ ଟଙ୍କାରେ ବିକ୍ରି ହୋଇଥିଲା । ଏହି ପ୍ରକାରରେ ଡିସେମ୍ବରରେ ଟନ୍ ପ୍ରତି ୧୩,୩୧୦ଟଙ୍କା ହିସାବରେ ସମୁଦାୟ ୧୧.୧୦ଲକ୍ଷ ଟନ୍ ପିଆଜ ବିକ୍ରି ହୋଇଥିଲା । ରିପୋର୍ଟ ଅନୁସାରେ ଏହା ୨୦୧୭ରେ ଚାଷୀଙ୍କୁ ମିଳିଥିବା ପିଆଜର ମୂଲ୍ୟ ତୁଳନାରେ ୬୧% କମିଛି । ଦେଶର ପାଖାପାଖି ଏକ ତୃତୀୟାଂଶ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ ମୂଲ୍ୟରେ ଅଧିକ ହ୍ରାସ୍ ଦେଖିବାକୁ ମିଳିଛି । ଏଠାରେ ଟନ୍ ପ୍ରତି ୫,୧୮୦ ଟଙ୍କାରେ ପିଆଜ ବିକ୍ରି ହୋଇଛି । ଯାହାକି ଗତ ବର୍ଷର ମୂଲ୍ୟ ଠାରୁ ୮୦% କମ୍ । ତେବେ ମୂଲ୍ୟରେ ଏତେ ଅଧିକ ହ୍ରାସ୍ର କାରଣ, ଗତ ୫ବର୍ଷର ଆନୁମାନିକ ଉତ୍ପାଦନ ତୁଳନାରେ ଚଳିତ ବର୍ଷ ପିଆଜର ଅନୁମାନିକ ଫସଲ ୧୨.୪୮% ଅଧିକ ବୋଲି କୁହାଯାଉଛି । ତେବେ ଚଳିତ ବର୍ଷ ୨୧୦ଲକ୍ଷ ଟନ୍ ପିଆଜ ଉତ୍ପାଦନ ହେବାର ଅନୁମାନ କରାଯାଇଥିଲା । ହେଲେ ଚଳିତ ବର୍ଷ ଆକଳନ ୨୩୬ଲକ୍ଷ ଟନ୍ରେ ପହଞ୍ଚିବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ସାଧାରଣତଃ ଖରିଫ୍ ପିଆଜ, ପୁରୁଣା ଖରିଫ୍ ପିଆଜ ଓ ଗ୍ରୀଷ୍ମକାଳୀନ ପିଆଜ ପରି ୩ ପ୍ରକାରର ପିଆଜ ବିକ୍ରି କରାଯାଇଥାଏ । ଏଥିରେ ପୁରୁଣା ଖରିଫ୍ ପିଆଜ ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ । ଏବଂ ଶୀଘ୍ର ଖରାପ ହୋଇନଥାଏ । ହେଲେ ଚାଷୀଙ୍କୁ ଫସଲକୁ ୨ରୁ ୩ ସପ୍ତାହ ମଧ୍ୟରେ ପିଆଜ ବିକ୍ରି କରିବାକୁ ହୋଇଥାଏ । ତେଣୁ ସେମାନେ ଯେକୌଣସି ମୂଲ୍ୟରେ ତାହାକୁ ବିକ୍ରି କରିଦେଇଥାନ୍ତି । ପ୍ରକାଶ ଯେ ନାସିକ୍, ମହାରାଷ୍ଟ୍ରର ସବୁଠାରୁ ବଡ଼ ପିଆଜ ଉତ୍ପାଦନ କ୍ଷେତ୍ର ।


