ଜିଲାସ୍ତରୀୟ ଶିଶୁ ମହୋତ୍ସବ‘ସୁରଭି’ ଓ ‘କଳା ଉତ୍ସବ-୨୦୨୨’
ବାଲେଶ୍ୱର, (ସରୋଜ ପଣ୍ଡା):ସମଗ୍ର ଶିକ୍ଷା ଅଭିଯାନ ବାଲେଶ୍ୱର ଶାଖା ପକ୍ଷରୁ ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ଜିଲାସ୍ତରୀୟ କଳା ଉତ୍ସବ-୨୦୨୨’ ସ୍ଥାନୀୟ ଜିଲା ସ୍କୁଲ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିବା ସହିତ ସାମ୍ପ୍ରତିକ ଶିକ୍ଷାନୀତିରେ ଶିଶୁ ମହୋତ୍ସବର ଗୁରୁତ୍ୱ ବେଶ ଅଧିକ ବୋଲି କହିଥିଲେ । ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ସୁଯୋଗ ଆଣିଦେଇଛି ବୋଲି ସେ ମତ ପ୍ରକାଶ କରିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ୁ ଚରଣ ସୁତାର ଏଥିରେ ଅଧ୍ୟକ୍ଷତା କରିବା ସହ ସରକାରଙ୍କ ଶିଶୁ ପ୍ରତିଭା ବିକାଶ ଭିତ୍ତିକ ଏହି ଉତ୍ସବ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଓ ପ୍ରାଚୀ ତନୟା ଗିରି ନୀଳଗିରି ବିଇଓ ସ୍ନିଗ୍ଧା ପଣ୍ଡା, ରେମୁଣା ବିଇଓ କାଳିନ୍ଦ୍ରୀ ସୋରେନ ପ୍ରମୁଖ ଏଥିରେ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀଙ୍କ ଶରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ଏହି ଶିଶୁ ମହୋତ୍ସବ ଏକ ପ୍ଲାଟଫର୍ମ ହୋଇ ପାରିଛି ବୋଲି କହିଥିଲେ । ଅୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଏଥିରେ ପୁରସ୍କୃତ କରିଥିଲେ । ଜିଲା ସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନିରଂଜନ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନ, ଅଭୟ ରାଉତ, ବାଣୀବନ୍ଦନା ନାୟକ, ପ୍ରଭାତ ମହାରଣା, ଜିଏସ ଜୟଲତା, ଦୀପକ କୁମାର ନାୟକ, ଖଗେଶ୍ୱର ମହାରଣା, କୃଷ୍ଣାୟନୀ ପାତ୍ରଙ୍କ ସମେତ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସୁରଭି କାର୍ଯ୍ୟକ୍ରମରେ ଜିଲାର୧୨ ବ୍ଲକର ଅଂଶଗ୍ରହଣ କରିଥିବା ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଭିନ୍ନ ବିଭାଗରେ ପ୍ରଥମ ହୋଇଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନେ ଭାଗ ନେବେ । ସେହିଭଳି ଜିଲାସ୍ତରୀୟ କଳା ଉତ୍ସବରେ ଅଂଶ ଗ୍ରହଣ କରିଥିବା ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏଥିରେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଭଦ୍ରକ, କେନ୍ଦୁଝର, ମୟୂରଭଂଜ, ଯାଜପୁର ପ୍ରଭୃତି ଜିଲାର କୃତୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ । ଏଥିରୁ ମନୋନୀତ ଶ୍ରେଷ୍ଠ ପ୍ରତିଯୋଗୀମାନେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


