ରାତି ପାହିଲେ ପ୍ରଥମାଷ୍ଟମୀ ଅନଲାଇନ ମାର୍କେଟିଂ ଯୋଗୁଁ ଖାଁ ଖାଁ କପଡା ଦୋକାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସମୟ ବଦଳିବା ସହିତ ବଦଳିଛି ଲୋକଙ୍କ ରୁଚି।ବାର ମାସରେ ତେର ପର୍ବ ପର୍ବାଣୀ ପାଇଁ ଲୋକେ ଏଵେ ଆଉ ବଜାର ହାଟକୁ ଯାଉନାହାନ୍ତି।ଡିଜିଟାଲ ଯୁଗରେ ଅନଲାଇନ ଯୋଗୁଁ ହାତ ପାହାନ୍ତାରେ ମିଳିଯାଉଛି ଆବଶ୍ୟକ ଅନୁଯାୟୀ ବିଭିନ୍ନ ସାମଗ୍ରୀ।ଛୁଞ୍ଚି ସୁତା ଠାରୁ ଆରମ୍ଭ କରି ସୁନା ରୂପା ଯାଏଁ ସବୁ ଅନଲାଇନ ମାଧ୍ୟମରେ ମିଳି ଯାଉଛି। ଏହାରି ଭିତରେ ଵିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଵ୍ୟଵସାୟୀ କ୍ଷତିରେ ପଡି ଯାଇଛନ୍ତି।ସୂଚନା ମୁତାବକ ଅନଲାଇନ ବ୍ୟବସାୟ ଆସିବା ଦିନ ଠାରୁ ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମ୍ୟ ବଜାର ଗୁଡିକରେ ଛୋଟ ବଡ଼ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଵ୍ୟଵସାୟୀ ମାନଙ୍କ ପକ୍ଷେ ଚଳିବା ଏଵେ କଷ୍ଟକର ହୋଇପଡିଛି।ବିଶେଷ କରି ଆଗରୁ ରଜ,ଦୁର୍ଗା ପୂଜା,କୁମାର ପୂର୍ଣିମା ଓ ହୋଲି ଉତ୍ସବ ଆସିଲେ ଗାଁ ଗହଳିରେ ଲୁଗା ତଥା ଛୋଟ ମୋଟ ଡ୍ରେସ୍ ଦୋକାନ କରିଥିବା ଛୋଟ ଵ୍ୟଵସାୟୀ ମାନେ ଵେଶ ଦି ପଇସା ରୋଜଗାର କରୁଥିଲେ। ଏପରିକି ପ୍ରଥମା ଅଷ୍ଟମୀ ଉତ୍ସବ ପାଇଁ ଘରେଘରେ ପିଲା ମାନେ ପରୁହାଁ ହେଉଥିବାରୁ ଶାଢୀ ତଥା ଡ୍ରେସ୍ ଦୋକାନ ମାନଙ୍କରେ ଵେଶ ଭିଡ ପରିଲକ୍ଷିତ ହେଉଥିଲା। ଏଵେ କିନ୍ତୁ ସମୟ ଵଦଳି ଯାଇଛି। ବିଗତ କିଛିବର୍ଷ ଧରି ଅନଲାଇନ ମାର୍କେଟିଂ ଯୋଗୁଁ ଲୋକେ ଏଵେ ବ୍ୟବସାୟୀ ପ୍ରତିଷ୍ଠାନ ଉପରୁ ମୁହଁ ଫେରାଇ ଆଣିଛନ୍ତି। ସଂପ୍ରତି ଫ୍ରିପ କାର୍ଡ଼, ମେମୋ, ଆମାଜାନ, ମିନ୍ତ୍ରା, ନାଏକା, ପ୍ରପଲ୍ଲ ପ୍ରମୁଖ ଅନଲାଇନ ମାର୍କେଟିଂ କମ୍ପାନୀ ନିଜର କାୟା ବିସ୍ତାର କରିଥିବା ଵେଳେ ଲୋକମାନେ ଆବଶ୍ୟକ ଅନୁଯାୟୀ ସପିଂ କରୁଛନ୍ତି।ଅର୍ଡର ଅନୁଯାୟୀ ବିଭିନ୍ନ ଲୋଭନୀୟ ଉପହାର ସହିତ ରିହାତି ମୂଲ୍ୟରେ ଲୋକେ ଘରେ ବସି ମନ ମୁତାବକ ଜିନିଷ ଅନଲାଇନ ମାଧ୍ୟମରେ ପାଉଛନ୍ତି। ହାତରେ କେବଳ ମୋବାଇଲ ଓ ବ୍ୟାଙ୍କ ଖାତାରେ ପଇସା ଥିଲେ ଘର ଦୁଆର ମୁହଁରେ କମ୍ପାନୀ ଆସି ବିଭିନ୍ନ ଲୁଗାପଟା ଡ୍ରେସ ସହିତ ଅନ୍ୟାନ୍ୟ ସାମଗ୍ରୀ ଦେଇ ଯାଉଛି। ତେଣୁ ଗାଁ ଆଖ ବଜାରରେ କପଡା ଦୋକାନ ସହିତ ଅନ୍ୟାନ୍ୟ ବ୍ୟବସାୟ କରୁଥିବା ଦୋକାନୀ ମାନେ ଘୋର କ୍ଷତି ସହୁଥିବା ବ୍ୟବସାୟୀ ପ୍ରଶାନ୍ତ ସାହୁ, ରାଜେନ୍ଦ୍ର ଶତପଥି, ପ୍ରଶାନ୍ତ ତ୍ରିପାଠୀ, ଶୁଶାନ୍ତ ବେହେରା ପ୍ରମୁଖ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ