ଅସ୍ତରଙ୍ଗ ବେଳାଭୁମି ଠାରେ ଇକୋ ଟ୍ୟୁରିଜିମ କେନ୍ଦ୍ର ସ୍ଥାପନା କେବେ ?

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବେଳାଭୁମି ଠାରେ ରାଜ୍ଯ ସରକାର ଏକ ଟ୍ୟୁରିଜିମ କେନ୍ଦ୍ର ସ୍ଥାପନା କରିବାକୁ ଘୋଷଣା କରିଥିଲେ। କିନ୍ତୁ ଦୀର୍ଘ ବର୍ଷ ହେବ ଏହି ଘୋଷଣା କେବଳ ଘୋଷଣାରେ ରହିଯାଇଛି। କେବେ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ୟୁକୋ ଟ୍ୟୁରିଜିମ କେନ୍ଦ୍ରହେବ ତାହାକୁ ସ୍ଥାନୀୟ ଲୋକମାନେ ଚାହିଁ ବସିଛନ୍ତି। ଅସ୍ତରଙ୍ଗ ବେଳାଭୁମି ର ସହନ,ଜାହାନିଆଁ, କେଳୁଣୀ ମୁହାଁଣ ଠାରେ ୟୁକୋ ଟ୍ୟୁରିଜିମ କେନ୍ଦ୍ର ସ୍ଥାପନା କରିବାକୁ ସମସ୍ତ ଭିତ୍ତିଭୂମି ଥିବା ବେଳେ ସରକାର ଙ୍କ ପର୍ଯ୍ୟଟନ ବିଭାଗ କେନ୍ଦ୍ର ସ୍ଥାପନା କରିବା ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତତ୍ କାଳୀନ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଅସ୍ତରଙ୍ଗ ବେଳାଭୁମି ଠାରେ ୟୁକୋ ଟ୍ୟୁରିଜିମ କେନ୍ଦ୍ର ସ୍ଥାପନା କରିବାକୁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପର୍ଯ୍ୟଟନ ବିଭାଗ, ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କ ସହ ଅସ୍ତରଙ୍ଗ ବେଳାଭୁମି ଅଞ୍ଚଳ ଗସ୍ତ କରି ଭିତ୍ତିଭୂମି ବିକାଶ ସଂପର୍କ ରେ ଅନୁଧ୍ୟାନ କରିଥିଲେ। ଖୁବ୍ ଶୀଘ୍ର ଅସ୍ତରଙ୍ଗ ବେଳାଭୁମି ଅଞ୍ଚଳ ରେ ଏକ ୟୁକୋ ଟ୍ୟୁରିଜିମ କେନ୍ଦ୍ର ସ୍ଥାପନା କରାଯିବ ବୋଲି ଶ୍ରୀ ମହାପାତ୍ର ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ। ଇତି ମଧ୍ୟରେ ପ୍ରାୟ ୩ବର୍ଷ ବିତିଛି। କିନ୍ତୁ ପର୍ଯ୍ୟଟନ ବିଭାଗ ଏ ପର୍ଯ୍ୟନ୍ତ କେଉଁ ଠାରେ ଇଟାଖଣ୍ଡିଏ ମଧ୍ୟ ପକାଇନାହିଁ। ଶୀତ ଋତୁ ଆସିବାକ୍ଷଣି ରାଜ୍ୟ ର ବିଭିନ୍ନ ଅଞ୍ଚଳରୁ ଓ ରାଜ୍ୟ ବାହାରୁ ଶହ ଶହ ଯାତ୍ରୀ, ପର୍ଯ୍ୟଟକ ଛୁଟି ଆସୁଛନ୍ତି ଅସ୍ତରଙ୍ଗ ବେଳାଭୁମି କୁ।ସହନ, ଜାହାନିଆଁ, କେଳୁଣିମୁହାଁଣ, ନୂଆଗଡ ଜେଟି ଠାରେ ବଣଭୋଜି କରୁଥିବାବେଳେ ସମୁଦ୍ର ରେ ସ୍ନାନ କରି ମଜା ଉଠାଉଛନ୍ତି। ସହନ ଠାରେ ଲୁଣା ଜଙ୍ଗଲ ରେ ବସା ବାନ୍ଧି ବଂଶ ବିସ୍ତାର କରୁଥିବା ଦେଶୀ, ବିଦେଶୀ ପକ୍ଷୀ ଙ୍କୁ ଦେଖିବା ସହିତ ବୋଟ ରେ ଦେବୀନାଶି, ବନ୍ଦରେଇ ଠାକୁରାଣୀ ପୀଠ କୁ ଯାଇ ନାଲି କଙ୍କଡା, ଅଲିଭ ରିଡଲେ କଇଁଛ ମାନଙ୍କୁ ଦେଖିବା ସହିତ ଲୁଣାନଦୀ ରେ ଜଳକ୍ରୀଡ଼ା ର ଆନନ୍ଦ ନେଉଛନ୍ତି।
କିନ୍ତୁ କେବଳ ଜାହାନିଆଁ କୁ ଛାଡ଼ି ଦେଲେ ଆଉ କେଉଁଠି ବି ବଣଭୋଜି ପାଇଁ ଆବଶ୍ୟକୀୟ ମଣ୍ଡପ, ପାନୀୟ ଜଳ, ଶୌଚାଳୟ, ଡଷ୍ଟପିନ ର ବ୍ୟବସ୍ଥା ନାହିଁ। ଫଳରେ ଯାତ୍ରୀ, ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଠାରେ ବୋଟିଂ, ଜଳକ୍ରୀଡ଼ା ର ଭରପୁର ସୁଯୋଗ ରହିଛି। ଯଦି ପର୍ଯ୍ୟଟନ ବିଭାଗ ଏହି ସବୁ ସ୍ଥାନ ରେ ଭିତ୍ତିଭୂମି ର ବିକାଶ କରିବା ଦିଗରେ ଦୃଷ୍ଟି ଦିଅନ୍ତା ତେବେ ଏହି ଅଞ୍ଚଳ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହୋଇ ପାରନ୍ତା। ଏଠାରେ ଯାତ୍ରୀ,ପର୍ଯ୍ୟଟକ ମାନଙ୍କ
ରାତ୍ରୀ ରହଣୀ, ଖାଦ୍ୟପେୟ, ମନୋରଞ୍ଜନ , କ୍ରୀଡ଼ା ପାଇଁ ବ୍ୟବସ୍ଥା କରାଯାଇପାରନ୍ତା ତେବେ ପ୍ରତିଦିନ ହଜାର ହଜାର ଯାତ୍ରୀ,ପର୍ଯ୍ୟଟକ ଏଠାକୁ ଆସି ପ୍ରକୃତି ର ସୋନ୍ଦର୍ଯ୍ୟ କୁ ଉପଭୋଗ କରିବାସହିତ ସ୍ଥାନୀୟ ଅଧିବାସୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ର ଆର୍ଥିକ ପରିସ୍ଥିତି ସୁଦୃଢ ହୋଇପାରନ୍ତା ବୋଲି କହିଛନ୍ତି ସହନ ଗ୍ରାମ ର ଫେଲୁ ସ୍ଵାଇଁ, ବଳଭଦ୍ରପୁର ଗ୍ରାମ ର ବିଚିତ୍ରାନନ୍ଦ ବିଶ୍ବାଳ, ନିରୁ ବିଶ୍ବାଳ ପ୍ରମୁଖ ସ୍ଥାନୀୟ ଅଧିବାସୀ। ରାଜ୍ଯ ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ