ଗଜଲକ୍ଷ୍ମୀ ପୂଜା ଓ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ

ନିମାପଡ଼ା, (ସନ୍ତୋଷ କୁମାର ଦାଶ): ନିମାପଡ଼ାର ସର୍ବପୁରାତନ ଲକ୍ଷ୍ମୀପୂଜା ମଣ୍ଡପ ଗଡ଼ଅଣ୍ଢିଆ ଗ୍ରାମ ମଙ୍ଗଳ ସମିତି ଓ ଅରବିନ୍ଦ କ୍ଲବ ପକ୍ଷରୁ ଅନୁଷ୍ଠିତ ୭୧ତମ ଗଜଲକ୍ଷ୍ମୀ ପୂଜା ଓ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଦୀର୍ଘ ୭ଦିନ ଧରି ଧୂମଧାମରେ ପାଳିତ ହୋଇଥିବା ଉତ୍ସବର ଶେଷ ସନ୍ଧ୍ୟାରେ ଭବ୍ୟ ପୁରସ୍କାର ବିତରଣ ଉତ୍ସବରେ ବିଜୟୀ ନାଟ୍ୟାନୁଷ୍ଠାନ ଗୁଡ଼ିକୁ ପୁରସ୍କୃତ କରାଯିବା ସହ ୫୦ରୁ ଊର୍ଦ୍ଧ୍ୱ କଳାକାର, ମେଧାବୀ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ କରାଯାଇଥିଲା। ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ୬ଟି ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ଅଂଶଗ୍ରହଣ କରିଥିବାବେଳେ ଚଳିତ ବର୍ଷ ଖୋର୍ଦ୍ଧାର ମା’ ପାଦୁକେଇ ଯୁବ ନାଟ୍ୟ ସଂସଦ ଦ୍ୱାରା ପରିବେଷିତ ନାଟକ ‘ଚନ୍ଦ୍ରମୁଖୀ’ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଦଳକୁ ଟ୍ରଫି ସହ ନଗଦ ୫୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ଥିଲା। ସେହିଭଳି ରାଜଧାନୀ ରଙ୍ଗମଞ୍ଚ, ସୁନ୍ଦରପଦା ପରିବେଷିତ ନାଟକ ‘କିଏ କାନ୍ଦିନାହିଁ ହାତ ଟେକ’ ଦ୍ୱିତୀୟ ସ୍ଥାନ ହାସଲ କରି ରନର୍ସ ଅପ୍ ଟ୍ରଫି ସହିତ ନଗଦ ୪୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରା ଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ବୟୋଜ୍ୟେଷ୍ଠ ସଂଗୀତକାର ନବୀନ କିଶୋର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂଜା କମିଟି ସମ୍ପାଦକ ବିଚିତ୍ରାନନ୍ଦ ପାତ୍ର, ଅରବିନ୍ଦ କ୍ଳବ ସଭାପତି ନିର୍ମଳ ପରିଜା, ସମ୍ପାଦକ ସୌମ୍ୟରଞ୍ଜନ ଦାସ, ଗଡ଼ଅଣ୍ଢିଆ ଗ୍ରାମ ମଙ୍ଗଳ ସମିତି ସଭାପତି କିରଣ ପଟ୍ଟନାୟକ ଓ ସମ୍ପାଦକ ସୁଶାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ଦିଲପ ପାତ୍ର କରିଥିବା ବେଳେ ଗ୍ରାମ କମିଟିର ବରିଷ୍ଠ ସଭ୍ୟ ସୁବାସ ପାତ୍ର, ବିଜୟ ପାତ୍ର, ନିରଞ୍ଜନ ପରିଜା, କ୍ଷିତିଶ ମହାନ୍ତି, ଅମିତ ପରିଜା ପ୍ରମୁଖଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୫୦ରୁ ଊର୍ଦ୍ଧ୍ୱ କଳାକାର, ମେଧାବୀ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆୟୋଜିତ ମେଗା ମେଲୋଡି ସାରେଗାମାପା ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ବାପି ଓ ନାଭ୍ୟାଜ୍ୟୋତିଙ୍କ ସୁମଧୁର ସଙ୍ଗୀତରେ ଉପସ୍ଥିତ ଦର୍ଶକ ଝୁମିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ