ପୋଲିସକୁ ଦୁର୍ବ୍ୟବହାର ଓ ଜିମ୍ ଭଙ୍ଗାରୁଜା ମାମଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସାହାଣୀ ସାହିର ସୀମା ଦାସ ଏବଂ ଶିବ ଦାସଙ୍କୁ ଆକ୍ରମଣ ପରେ ସାହି ବାସିନ୍ଦା ରକ୍ତମୁଖା ହୋଇ ବସଷ୍ଟାଣ୍ଡ ନିକଟରେ ଥିବା ଆରଆର ଜିମ୍ ଭଙ୍ଗାରୁଜା କରିବା ଏବଂ ପୋଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ ପୂର୍ବକ ହତ୍ଯାଉଦ୍ଯମ କରିବା ମାମଲାରେ ଅଭିଯୁକ୍ତ ୮ ଜଣଙ୍କୁ ଜାମିନ ମିଳିଛି।ତେବେ ଜେଲରୁ ଖଲାସ ହେବା ପୂର୍ବରୁ ୪ ଜଣଙ୍କ ନାମରେ ରହିଥିବା ଅନ୍ୟ ଏକ ମାମଲାର ରିମାଣ୍ଡ ରିପୋର୍ଟ ପୋଲିସ ଦାଖଲ କରିବା ପରେ ସେମାନଙ୍କୁ ଦିଗପହଣ୍ଡି ଜେଏମଏଫସି କୋର୍ଟରେ ହାଜର କରାଯାଇ ଜାମିନ ଅଭାବରୁ ପୁଣି ଜେଲ ହାଜତକୁ ପଠାଇ ଦିଆଯାଇଛି।ସେମାନେ ହେଲେ ଦିଗପହଣ୍ଡି ସାହାଣୀ ସାହିର ରାଜୁ ଓରଫ ରାଜା ଦାସ, ବୁଡୁ ଓରଫ ଚନ୍ଦନ ଦାସ, ଶଙ୍କର ଦାସ ଏବଂ ଚିତ୍ରସେନ ଦାସ।ଗତ ୬ ତାରିଖ ସନ୍ଧ୍ୟାରେ ପୂର୍ବ ଶତୃତାକୁ ନେଇ ରାଜପୁର ରାସ୍ତାର ସନ୍ଥ ନିରଙ୍କାରି ଭବନ ଆଗରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଯୁବକ ସାହାଣୀ ସାହିର ସୀମା ଦାସ ଏବଂ ଶିବ ଦାସଙ୍କୁ ମରଣାନ୍ତକ ମାଡମାରି ଲହୁଲୁହାଣ କରି ଦେଇଥିଲେ।ଏଥିରେ ଆରଆର ଜିମ ପରିଚାଳକ ରାଜୁ ପାତ୍ରଙ୍କ ଗୋଷ୍ଠୀର ହାତ ଥିବା ଜାଣି ସାହାଣୀ ସାହିର ବହୁ ମହିଳା ପୁରୁଷ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଜିମ ଉପରେ ଚଢ଼ାଉ କରିଥିଲେ।ଆଇନ ଶୃଙ୍ଖଳା ସୃଷ୍ଟି ଆଶଙ୍କାରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଉଶୃଙ୍ଖଳ ଯୁବକ ଓ ମହିଳା ମାନେ ପୋଲିସକୁ ହତ୍ଯାଉଦ୍ଯମ କରିବା ସହ ଜିମ ଭଙ୍ଗାରୁଜା କରି ଲୁଟପାଟ ମଧ୍ୟ କରିଥିଲେ।ଏପରିକି କିଛି ଯୁବକ ମାରଣାସ୍ତ୍ର ଧରି ରାଜୁଙ୍କ ପିଏଚଡି ରୋଡ ବାସଭବନକୁ ଯାଇ ତାଙ୍କ ମା’ଙ୍କୁ ହତ୍ଯାଧମକ ଦେଇ ଭୟଭୀତ କରିଥିଲେ।ଘଟଣାରେ ପୋଲିସ ଏସଆଇ ଗୌତମ ସାହୁଙ୍କ ଏତଲା ଭିତ୍ତିରେ ଗୋଟିଏ ମାମଲା ଏବଂ ରାଜୁଙ୍କ ମା’ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଥାନା ମାମଲା ନଂ. ୩୮୫/୨୨ ଏବଂ ଆଇପିସିର ଧାରା ୩୯୫ ପ୍ରକାରେ ଆଉଏକ ମାମଲା ରୁଜୁ ହୋଇଥିଲା।ଏହି ମାମଲାରେ ସଂପୃକ୍ତି ଥିବା ପ୍ରମାଣ ପାଇବା ପରେ ପୋଲିସ ଅଭିଯୁକ୍ତ ରାଜୁ, ବୁଡୁ, ଶଙ୍କର ଏବଂ ଚିତ୍ରସେନ ନାମରେ ରିମାଣ୍ଡ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି।