ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବିକୁ ଓଲ୍ଷ୍ଟାର ସମର୍ଥନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ମିିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ଅଭୂତପୂର୍ବ ଶିକ୍ଷକ ସମାବେଶ ଲୋୟର ପିଏମ୍ଜି ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷା ପ୍ରତି ସରକାରଙ୍କ ଅବହେଳା ବିରୁଦ୍ଧରେ ପ୍ରାଥମିକ ଶିକ୍ଷକମାନେ ସଂଗଠିତ ଭାବରେ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ହକ୍ ପାଇଁ ଆଜି ଘେରିଥିଲେ । ସେମାନଙ୍କ ଦାବି ଯଥାର୍ଥ ଓ ନ୍ୟାୟୋଚିତ ବୋଲି ଅନୁଭବ କରିବା ସହ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା) ନୈତିକ ସମର୍ଥନ ଦେବା ସହିତ ଆଗାମୀ ଦିନରେ ପ୍ରାଥମିକ ଠାରୁ ଉଚ୍ଚଶିକ୍ଷାରେ କାର୍ଯ୍ୟ କରୁଥିବା, ଦୀର୍ଘଦିନ ଧରି ସରକାରୀ ଅବହେଳାରେ ନିଷ୍ପେସିତ ହୋଇଥିବା ଶିକ୍ଷକ ସଂଗଠନମାନଙ୍କୁ ଏକତ୍ରିତ ହୋଇ ଲଢେଇ କରିବା ପାଇଁ ଓଲ୍ଷ୍ଟାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ବେହେରା ଓ ସଭାପତି ଶ୍ରୀ ବିକ୍ରମ କୁମାର ଦାସ ମିଳିତ ଭାବେ ଆହ୍ୱାନ ଦେଇଛନ୍ତି । ଦୀର୍ଘବର୍ଷ ଧରି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ରୁଗ୍ଣ କରି ରାଜ୍ୟ ରାଜକୋଷର ଭିତ୍ତିିରି ବଣ୍ଟନ କରି ନୀରବଚ୍ଛିନ୍ନ ଭାବରେ ସରକାରରେ ରହି ନିଦ୍ୱର୍ନ୍ଦ୍ୱ କ୍ଷମତା ଉପଭୋଗ କରିଛନ୍ତି । ମାନବ ସମ୍ବଳ ବିକାଶର ଯିଏ ଏନ୍ତୁଡ଼ିଶାଳ ଅର୍ଥାତ୍ ପ୍ରାଥମିକ ଶିକ୍ଷା ତାହା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଗତି କରୁଛି । ଶିକ୍ଷକମାନେ ନାନା ସମସ୍ୟାରେ ଜର୍ଜରିତ ହୋଇ କାର୍ଯ୍ୟ କରି ଚାଲିଛନ୍ତି । ୩୦ ବର୍ଷ ଧରି କାର୍ଯ୍ୟ କରି ଆସିଥିବା ଶିକ୍ଷକମାନଙ୍କର ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୋଇ ଆସିଥିବା ନିଜର ପେନସନ ସୁରକ୍ଷିତ କରୁଛନ୍ତି । ନିଜର ଦରମା ଓ ଆନୁସଙ୍ଗିକ ଭତ୍ତାକୁ ନିଜେ ବାରମ୍ବାର ବଢାଇ ଶିକ୍ଷକମାନଙ୍କ ଚାକିରୀ ସର୍ତ୍ତାବଳୀ, ପ୍ରାପ୍ୟ ଦରମାକୁ ସଙ୍କୁଚିତ ତଥା କାଣ୍ଟଛାଣ୍ଟ କରିଚାଲିଛନ୍ତି । ଶିକ୍ଷକମାନଙ୍କ ଭିତରେ ବର୍ଗୀକରଣ କରି ସେମାନଙ୍କର ମିଳିତ ଆନ୍ଦୋଳନକୁ ଭେଦିଆ ନିଯୁକ୍ତି କରି ଭଣ୍ଡୁର କରିଚାଲିଛନ୍ତି । ଶେଷରେ ଅତ୍ୟନ୍ତ ନିର୍ମମ ଭାବରେ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ଭିତରେ ଠିକା ବ୍ୟବସ୍ଥାକୁ ନେଇ ପାତର ଅନ୍ତର ନୀତି ପ୍ରଣୟନ କରି ଏକ ବିସ୍ଫୋରଣକୁ ଆହ୍ୱାନ କରିିଛନ୍ତି । ଦୀର୍ଘବର୍ଷ ଧରି କାର୍ଯର୍୍ୟ କରି ଆସିଥିବା ଶିକ୍ଷକମାନଙ୍କ ପାଇଁ ଦରମା ଓ ଚାକିରୀ ସର୍ତ୍ତାବଳୀରେ ଅସଙ୍ଗତ, ଅବସରଜନିତ ସୁଯୋଗରୁ ବଞ୍ôଚତ କରିଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକମାନଙ୍କର ଅବସର ବୟସସୀମା, ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ କ୍ଷେତ୍ରରେ ଦୁଇବର୍ଷ ଅଧିକ ଚାକିରୀକାଳ ଥିବା ସତ୍ତ୍ୱେ ୨୦୧୫ ମସିହାରୁ ସରକାର ତାହାକୁ ସମାନ କରି ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ପ୍ରତି ଏକ ବୈମାତୃକ ମନୋଭାବ ପୋଷଣ କରିଚାଲିଛନ୍ତି । ସରକାର ଯଦି ଏହିସବୁ ସମସ୍ୟାର ସମାଧାନ କରି ଅର୍ଥାତ୍ ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ ମସିହାରୁ ନିଯୁକ୍ତ ହୋଇଥିବା ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରୀକୁ ସରକାରୀ ସେବା ରୂପେ ଗଣନା କରି ୬ଟି ଇନକ୍ରିମେଣ୍ଟ ପ୍ରଦାନ, ସମସ୍ତ ପ୍ରାଥମକ ଶିକ୍ଷକମାନଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୨୦୦୫ ମସିହାରୁ ନିଯୁକ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା, ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ଶ୍ରେଣୀ ନିମନ୍ତେ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି କରିବା, ପ୍ରାଥମିକ ବିଦ୍ୟାଳୟ ପାଇଁ ପିଅନ ନିଯୁକ୍ତି କରିବା, ନୋଡ଼ାଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିମନ୍ତେକ କିରାଣୀ ନିଯୁକ୍ତ କରିବା, ଏଲିମେଣ୍ଟାରୀସ୍ତରରେ ଏଲିମେଣ୍ଟାରୀ ବୋର୍ଡ଼ ଗଠନ କରିବା, ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କର ଅବସର ସମୟ ୬୨ ବର୍ଷ କରିବା, ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ନିଯୁକ୍ତି କରିବା, ଏକ୍ସ-କ୍ୟାଡ଼ର ଶିକ୍ଷକମାନଙ୍କୁ କ୍ୟାଡ଼ରଭୁକ୍ତ କରିବା ନିମନ୍ତେ ଓଲ୍ଷ୍ଟାର ନେତୃବୃନ୍ଦ ଦାବୀ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ପ୍ରାଥମିକ ଠାରୁ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ଏକାଠି କରି ଏକ ବୃହତ ଜନଆନ୍ଦୋଳନ କରାଯିବ ବୋଲି ଏକ ପ୍ରେସ୍ ବିବୃତ୍ତିରେ ଓଲ୍ଷ୍ଟାର ସଭାପତି ଶ୍ରୀଯୁକ୍ତ ବିକ୍ରମ କୁମାର ଦାସ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ବେହେରା, ଯୁଗ୍ମ ସାଧାରଣ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ଉପସଭାପତି କିଶୋର ଚନ୍ଦ୍ର ମହାରଥା ଓ ବିଜୟ ଦ୍ୱିବେଦୀ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ, ଶିକ୍ଷକ ଦର୍ପଣର ମୁଖ୍ୟ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ ଓ ଅନ୍ୟତମ ଯୁଗ୍ମ ସମ୍ପାଦକ ମାଧବାନନ୍ଦ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି ।