ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ୭୮ତମ ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ସ୍ଥାନୀୟ ପରମିଟ ପଡ଼ିଆରେ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାସ୍ତରୀୟ କ୍ରୀଡ଼ାକୁ ଉଦ୍ଘାଟନ କରିବା ସହିତ ଖେଳରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଜିଲ୍ଲାର ଗରିମା ରକ୍ଷା ପାଇଁ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ । ସମ୍ପ୍ରତି ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରର ବିକାଶକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ କ୍ରୀଡ଼ା ଭିତିଭୂମିର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଉଦୀୟମାନ କ୍ରୀଡ଼ାବିତ୍ମାନେ ଏହାର ସୁଯୋଗ ନେବାକୁ ବିଧାୟକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା କ୍ରୀଡା ସଂଘର ପ୍ରସ୍ତାବିତ ୨୪ଶହ ବର୍ଗଫୁଟର ଜିମନାସିୟମ ପାଇଁ ବିଧାୟକ ପାଣ୍ଠିରୁ ୨୦ଲକ୍ଷ ଅନୁଦାନ ପ୍ରଦାନ ନେଇ ବିଧାୟକ ଘୋଷଣା କରିଥିଲେ । ଜିଲ୍ଲା କ୍ରୀଡ଼ା ସଂଘର ସଭାପତି ତଥା ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହିତ କ୍ରୀଡ଼ା ପ୍ରତିଭା ବିକାଶରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲେ । କ୍ରୀଡା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଅଭୟ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ବୀରେନ୍ଦ୍ର ସ୍ୱାଇଁ, ସହ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, କୋଷାଧ୍ୟକ୍ଷ ଅମର ମହାନ୍ତି ପ୍ରମୁଖ କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ ଜିଲା କ୍ରୀଡ଼ା କ୍ଷେତ୍ରକୁ ଆଗେଇ ନେବାରେ ଆଥଲେଟିକ ଆସୋସିଏସନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ କ୍ରୀଡ଼ା ସଂଘର ଯୁଗ୍ମ ସମ୍ପାଦକ ଜଗଦୀଶ ବେହେରା, ସଞ୍ଜୟ ଲେଙ୍କା, ନିମାଇ ରାଉତରାୟ, ସୁଜୟ ଆଚାର୍ଯ୍ୟ, କାର୍ତ୍ତିକ ନାୟକ, ରବୀନ୍ଦ୍ର କୁମାର ସାହୁ, ହରେନ ଚନ୍ଦ୍ର ରଣା, ସାଦିକ୍ ଅଲ୍ଲୀ ଖାଁ, ଗୌରୀ ଶଙ୍କର ସାହାଣୀ, ରବିନ୍ ମିତ୍ର ପ୍ରମୁଖ ଉଦଘାଟନୀ ଉତ୍ସବ କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ପ୍ରତିଯୋଗୀମାନେ ମାର୍ଚ୍ଚପାଷ୍ଟରେ ପଡିଆ ପରିକ୍ରମା କରିଥିଲେ । ଏଥିରେ ଜିଲ୍ଲା ସ୍କୁଲର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ବ୍ୟାଣ୍ଡ ପରିବେଷଣ କରିଥିଲେ । ପରେ ପ୍ରତିଯୋଗୀ ଖେଳାଳିମାନେ ସାମୂହିକ ଶପଥ ନେଇଥିଲେ । ଏହି ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ୩ଦିନ ଧରି ଚାଲିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷିକ କ୍ରୀଡ଼ାରେ ୩୩ଟି ସ୍କୁଲ, ୧୫ଟି କଲେଜ ଓ ୨୩ଟି ବିଭିନ୍ନ ଯୁବକ ସଂଘଙ୍କୁ ମିଶାଇ ମୋଟ ୭୬ଟି ଅନୁଷ୍ଠାନରୁ ୯୦୬ଜଣ ପ୍ରତିଯୋଗୀ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତି । ତନ୍ମଧ୍ୟରୁ ୫୯୫ ଜଣ ବାଳକ ଥିବା ବେଳେ ୩୧୧ ଜଣ ବାଳିକା ଅଛନ୍ତି । ୩ ଦିନିଆ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା ପାଇଁ ୯୦ଜଣ ଅଫିସିଆଲ୍ ଯୋଗ ଦେଇଛନ୍ତି । ଏଥିରୁ ମନୋନୀତ ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ବୋଲି ସଂଗଠନର କର୍ମକର୍ତ୍ତା ସୂଚନା ଦେଇଚନ୍ତି ।


