ସାମ୍ବାଦିକ ବୈଷ୍ଣବ ଜେନା ଜଣେ ଭଲ ମଣିଷ ଥିଲେ ପ୍ରେସ୍ ଏକାଡ଼େମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, ସେ ଜଣେ ନୀତିନିଷ୍ଠ ସାମ୍ବାଦିକ ଥିଲେ, ଭଲ ସ୍ତମ୍ଭକାର ଥିଲେ । ସାମ୍ବାଦିକତା କ୍ଷେତ୍ରରେ ଆସୁଥିବା ନୂତନ ପିଢି ପାଇଁ ମାର୍ଗଦର୍ଶକ ଥିଲେ । ଏସବୁ ସତ୍ୟ, କିନ୍ତୁ ଏସବୁ ଉପରେ ସେ ଜଣେ ଭଲ ମଣିଷ ଥିଲେ । ସ୍ୱାଭିମାନର ସହ ବଞ୍ôଚବା ବରି ମାଟି ତାଙ୍କୁ ଶିକ୍ଷା ଦେଇଥିଲା ।ଓଡିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଏକାଡ଼େମୀର କାର୍ଯ୍ୟକାରୀ ସଭାପତି ତଥା କଂଗ୍ରେସ ବାର୍ତ୍ତାର ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ, ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ସ୍ୱର୍ଗତ ଜେନାଙ୍କୁ ଜଣେ ଦରଦୀ ବନ୍ଧୁ ଭାବେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ଭାଗବତ ତ୍ରିପାଠୀ, ବିଶ୍ୱନାଥ ସାମଲ, ସ୍ୱର୍ଗତ ଜେନାଙ୍କ ମଣିଷ ପଣିଆକୁ, ଓଡ଼ିଶା ସାମ୍ବାଦିକ ଜଗତ କେବେ ଭୁଲିପାରିବ ନାହିଁ । ଏକଡ଼େମୀର ଅଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ସରକାର ତାଙ୍କ ପରିବାରକୁ ଅନ୍ତତଃ ପକ୍ଷେ ୫ ବର୍ଷ ପାଇଁ ସରକାରୀ ଘରଟି ଦେବା ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ଅତିଥିମାନଙ୍କୁ ନିବେଦନ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ପରଲୋକଗତ ଆତ୍ମାର ଶାନ୍ତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସମ୍ପାଦିକା ରୀତାଞ୍ଜଳି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ, ବଳରାମ ନନ୍ଦ, ବିଜୟ ପଣ୍ଡା, ବିବେକାନନ୍ଦ ଜେନା, ସୁରେଶ ଚନ୍ଦ୍ର କର, ତପନ ମହାରଣ୍ୟ, ରାଜ ମିଶ୍ର ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରକାଶ କରି ସ୍ୱ ସ୍ୱ ଅନୁଭୂତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।


