ସଦର ବ୍ଲକରେ ସମସ୍ତ ଧାନମଣ୍ଡି ଖୋଲିବାକୁ ବିଜେପିର ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ଡିସେମ୍ବର ମାସ ଶେଷ ହେବାକୁ ବସିଥିବା ବେଳେ ସଦର ବ୍ଲକରେ ଧାନ ମଣ୍ଡି ଖୋଲିବାରେ ପ୍ରଶାସନର କାଳକ୍ଷେପଣ ନୀତିକୁ ନେଇ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ମାନସ କୁମାର ଦତ୍ତ । ଶ୍ରୀ ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପିର ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲ୍ଲା ଯୋଗାଣ ଭେଟି ବିଗତ ଦିନରେ ସଦର ବ୍ଲକରେ ଧାନ କିଣାରେ ହୋଇଥିବା ସମସ୍ୟା ତଥା ମଣ୍ଡି ପରିଚାଳନ ସମ୍ପର୍କରେ ସୂଚିତ କରିଥିଲେ । ଡିସେମ୍ବର ନୂଆବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଅଦ୍ୟାବଧି ସମସ୍ତ ମଣ୍ଡି ଖୋଲା ନ ଯିବା, ପୂର୍ବଭଳି ଟୋକନ ଲାପ୍ସ, କଟନୀ ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା, ମିଲରମାନଙ୍କର ପ୍ରିୟାପ୍ରୀତି ପୋଷଣକୁ ନେଇ ଚାଷୀଙ୍କ ମନରେ ଆଶଙ୍କା ଦେଖାଦେଇଥିବା ଶ୍ରୀ ଦତ୍ତ ଯୋଗାଣ ଅଧିକାରୀଙ୍କୁ କହିଛନ୍ତି । ସଦର ବ୍ଲକରେ ସମସ୍ତ ମଣ୍ଡି ଖୋଲିବା ସାଙ୍ଗକୁ ଉଚିତ ମଣ୍ଡି ପରିଚାଳନା ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣିବାକୁ ସେ ଯୋଗାଣ ଅଧିକାରୀଙ୍କୁ ସେ ପ୍ରସ୍ତାବ ଦେଇଛନ୍ତି । ନତୁବା ଆଗାମୀ ଦିନରେ ସଦର ବିଜେପି ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜରାସ୍ତାକୁ ଉହ୍ଲାଇବ ବୋଲି ଶ୍ରୀ ଦତ୍ତ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ବୁଢାବଳଙ୍ଗ ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଆରସିଏମଏସ ସଭାପତି ସର୍ବେଶ୍ୱର ମହାନ୍ତି, ରୂପସା ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ପଞ୍ଚୁପଡା ମଣ୍ଡଳ ପ୍ରଭାରୀ ଲୋକନାଥ ଭୁୟାଁ, ଚାନ୍ଦିପୁର ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ବଇଁଚା ସରପଞ୍ଚ ରବିନାରାୟଣ ପ୍ରଧାନ, ବରିଷ୍ଠ ନେତା ରାଜେନ୍ଦ୍ର ଚାଟାର୍ଜୀ, ୱାର୍ଡ ସଭ୍ୟ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।