ଡକାୟତି ମାମଲାର ଫେରାର ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆ ଦ୍ବାରଗାଁ ଛକ ନିକଟରେ ଗତ ୨୦୨୧ ଅକ୍ଟୋବର ୨୧ ତାରିଖ ରାତି ରେ ସଂଘଟିତ ଏକ ଡକାୟତି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତ ଙ୍କୁ  ପୋଲିସ ଗିରଫ କରିଛି।ସେ ହେଲେ ଦିଗପହଣ୍ଡି ଥାନା ଫାସିଗୁଡା ଗ୍ରାମର ହନି ଓରଫ ଅଜୟ କୁମାର ସେଠୀ। ଦିଗପହଣ୍ଡି ଥାନା ମାମଲା ନଂ. ୨୭୬/୨୧ ପ୍ରକାରେ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ  ହାଜତକୁ ପଠାଇ ଦିଆଯାଇଛି।ସୂଚନା ପ୍ରକାରେ ଗତବର୍ଷ କୁମାର ପୂର୍ଣ୍ଣିମା ଅବସରରେ ଚକାତେନ୍ତୁଳି ଗ୍ରାମରେ ଏକ ଭାଗବତ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ରାତିରେ କାର୍ଯ୍ୟକ୍ରମ ଶେଷ ହେବାପରେ ଏଥିରେ ଯୋଗ ଦେଇଥିବା ନନ୍ଦଗାଁ ଗ୍ରାମର ପ୍ରାୟ ୧୫ ଜଣ ମହିଳା ପୁରୁଷ ଘରକୁ ଫେରୁଥିଲେ।ସେଥିରୁ ପ୍ରଶାନ୍ତ ଗୌଡ, ନୀଳାଚଳ ପାଣିଗ୍ରାହୀ ଏବଂ ଶତୃଘ୍ନ ସେଠୀ ତିନିହେଁ ମିଶି ଗୋଟିଏ ୟୁନିକର୍ଣ୍ଣ ବାଇକ (ଓଡି୦୭ ଜି ୦୭୨୮) ଯୋଗେ ଫେରୁଥିବା ବେଳେ ଅନ୍ଯମାନେ ପଛରେ ସାଇକେଲରେ ଫେରୁଥିଲେ।ଦ୍ବାରଗାଁ ନିକଟରେ ଅନ୍ୟ ତିନୋଟି ନମ୍ବର ବିହୀନ ବାଇକରେ ୯ ଜଣ ଯୁବକ ପ୍ରଶାନ୍ତଙ୍କ ବାଇକ ନିକଟରେ ପହଞ୍ଚି ଏକ ଖଣ୍ଡା ସାହାଯ୍ୟରେ ତାଙ୍କୁ ଆଘାତ ଦେବାରୁ ପ୍ରଶାନ୍ତ ଓ ସେଥିରେ ବସିଥିବା ଅନ୍ୟ ଦୁଇଜଣ ତଳେ ପଡିଯାଇଥିଲେ।ପରେ ଦୁର୍ବୃତ୍ତ ମାନେ ଓ୍ବାର୍ଡସଭ୍ଯ ଥିବା ନିଳାଚଳଙ୍କୁ ମଧ୍ୟ ମାଡ ମାରିଥିଲେ।ଗଲାବେଳେ ୟୁନିକର୍ଣ୍ଣ ବାଇକ ସମେତ ପ୍ରଶାନ୍ତଙ୍କ ମୋବାଇଲ ଓ ନଗଦ ପ୍ରାୟ ୪୦୦ ଟଙ୍କା ମଧ୍ୟ ଛଡାଇ ନେଇଯାଇଥିବା ଅଭିଯୋଗ ହୋଇଥିଲା।ସେହିଭଳି ଗିରଫ ଅଭିଯୁକ୍ତ ଜଣକ ଗତ ନଭେମ୍ବର ୬ ତାରିଖ ଦିନ ଦିଗପହଣ୍ଡି ଥାନା  ରାଜପୁର ଛକ ନିକଟ ସନ୍ଥ ନିରାଙ୍କାରି ଭବନ ଆଗରେ ସାହାଣୀ ବାଉରୀ ସାହିର ସୀମା ଦାସ ଏବଂ ଶିବ ଦାସଙ୍କୁ ହତ୍ଯା ଉଦ୍ୟମ ମାମଲାରେ ସଂପୃକ୍ତ ଥିବା ମଧ୍ୟ ପୋଲିସ ସୂତ୍ରରୁ ଜଣାପଡ଼ିଛି।ଫଳରେ ତାଙ୍କ ବିରୁଦ୍ଧରେ ଥାନା ମାମଲା ନମ୍ବର ୩୮୪/୨୨ ପ୍ରକାରେ କୋର୍ଟରେ ରିମାଣ୍ଡ ରିପୋର୍ଟ ଦାଖଲ କରାଯାଇଥିବା ମଧ୍ୟ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ