ଆଦିବାସୀ ଅଞ୍ଚଳରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଗୁମ୍ମା ବ୍ଲକ ତରଙ୍ଗଡ଼ା ଗ୍ରାମ ପଞ୍ଚାୟତରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ସଭାପତିତ୍ବ କରିଥିଲା ବେଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ।ଶ୍ରୀଯୁକ୍ତ ପଣ୍ଡା ତାଙ୍କର ଅଭିଭାଷଣରେ ସରକାରଙ୍କର ବିଭିନ୍ନ ଯୋଜନା କିପରି ଆଦିବାସୀ ଅଞ୍ଚଳରେ କାର୍ଯ୍ୟକାରୀ ହେବ ଏବଂ ଯେଉଁଠାରେ ଏହା ଖିଲାପ ହେଉଛି ତାହାରି ଉପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ, ଗୁମ୍ମା ଶ୍ରୀମତି ଅନିତା ରାଣୀ ପଟ୍ଟନାୟକ ଯୋଗଦେଇ ପ୍ରାପ୍ତବୟସ୍କ ଝିଅ ମାନଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ଲାଗି ସ୍ବୟଂ ସହାୟକ ଗୋଷ୍ଠିର ମାଆ ମାନଙ୍କୁ ବୁଝାଇଥିଲେ। ବ୍ଲକ୍ ଶିକ୍ଷାଧିକାରୀ, ଗୁମ୍ମା ଯୋଗଦେଇ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଉପରେ ଗୁରୁତ୍ବଦେବା ସହ ଉପସ୍ଥିତ ମହିଳା ମାନଙ୍କୁ ସଉରା ଭାଷାରେ ବୁଝାଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସମ୍ପାଦକ ଶ୍ରୀଯୁକ୍ତ ବେହେରା ସମସ୍ତଙ୍କୁ ମାଗଣା ଆଇନ ସେବା ଯୋଗେଇବାରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଭୂମିକା ଉପରେ ଆଲୋକପାତ କରିବା ସହ ବାଲ୍ୟବିବାହ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ ଯୋଗଦେଇ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଯେ ଆଦିବାସୀ ଅଞ୍ଚଳରେ ସରକାରଙ୍କର ବିଭିନ୍ନ ସେବା କିପରି ପହଞ୍ଚିବ ସେଥିପ୍ରତି ଅଧିକ ଯତ୍ନ ହେବାଲାଗି ଅନୁରୋଧ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଯୋଗଦେଇ ସାମାଜିକ ସୁରକ୍ଷାର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଝିଅ ମାନଙ୍କୁ ଯୌନ ଶୋଷଣରୁ ରକ୍ଷାକରିବା ଲାଗି ଆଗୁଆ କି ପ୍ରକାର ପଦକ୍ଷେପ ନିଆଯିବ ତା ଉପରେ ଆଲୋଚନା କରିଥିଲେ। ଏହିସବୁ କାର୍ଯ୍ୟକ୍ରମକୁ ତରଙ୍ଗଡ଼ା ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କର ୱାର୍ଡ ସଭ୍ୟମାନେ ପରିଚାଳନା କରିଥିଲେ।


