ମା ଗଡ଼ଚଣ୍ଡି ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକ ବିଭୋର

ହାଟଡ଼ିହି, (ବିକାଶ ବିଶ୍ୱାଳ):ପର୍ଯ୍ୟଟକ ମାନଙ୍କ ଆଗମନରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଗଡଚଣ୍ଡୀ ପୀଠ ଏବେ ଧିରେ ଧିରେ ଚଳ ଚଞ୍ଚଳ ହୋଇ ଉଠିଛି । ହାଟଡିହି ବ୍ଲକର ଏହି ପର୍ଯ୍ୟଟନ କ୍ଷେତ୍ରଟି ବଣଭୋଜି ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ପର୍ଯ୍ୟଟନ ବିଭାଗର ଅଣଦେଖା ଯୋଗୁଁ ଏହାର ବିକାଶ ସମ୍ଭବ ହୋଇପାରୁନି । କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ଏଠାରେ ପର୍ଯ୍ୟଟକଙ୍କ ସଖ୍ୟା ମକମ ଥିବାବେଳେ ଚଳିତବର୍ଷ ହଜାର ହଜାର ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଅନେକ ବାହାର ଜିଲ୍ଲା ତଥା ରାଜ୍ୟରୁ ମଧ୍ୟ ପର୍ଯ୍ୟଟକ ମାନେ ପିକନିକ କରିବାକୁ ଛୁଟି ଆସୁଛନ୍ତି ।କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକର ଛେନାପଦି ହଦଗଡ଼ ରାସ୍ତାର ଛେନାପଦି ଠାରୁ ୬କିଲୋମିଟର ଓ ସୁନ୍ଦରାପାଳା ଛକ ଠାରୁ ୨.୫କିମି ଦୁର ବଉଳା ପାହାଡ଼ ପାଦଦେଶରେ ମା ଗଡ଼ଚଣ୍ଡି ପୀଠ । ଏହି ପୀଠରେ ପାଦଦେଶରେ ବହିଯାଇଛି ଏକ ଝରଣା । ଚାରିପଟ ପାହାଡ଼ର ସୌନ୍ଦର୍ଯ୍ୟ ଓ ଗୁମ୍ପା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ପୁର୍ବରୁ ଥିବା ବୃହତ ଝରଣାଟି ୯୯ମହାବାତ୍ୟାରେ ପୋତି ହୋଇଯିବା ପରେ ଏହା ସଙ୍କିର୍ଣ୍ଣ ହୋଇଯାଇଥିଲେବି ପଥର ମଝିରେ ଝରଣାର କୁଳୁ କୁଳୁ ଶବ୍ଦ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି । ଉକ୍ତ ସ୍ଥାନଟି ବର୍ଷ ତମାମ ଥଣ୍ଡା ରହିଥିବା ବେଳେ ଖରାର ପ୍ରକୋପ ସେଠାରେ ପଡ଼େ ନାହିଁ । ସେଠାରେ ଏବେ ଶହଶହ ମାଙ୍କଡ଼ ପର୍ଯ୍ୟଟକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେମାନେ ପର୍ଯ୍ୟଟକଙ୍କ ନିକଟରୁ ଖାଦ୍ୟ ଖାଇବା ପାଇଁ ପର୍ଯ୍ୟଟକଙ୍କ ଚାରିପାଟେ ଘୁରିବୁଲୁ ଥାନ୍ତି । । ପର୍ଯ୍ୟଟକ ମାନେ ମଧ୍ୟ ମାଙ୍କଡ଼ ମାନଙ୍କ ସହ ମିଶିବାର ସୁଯୋଗ ପାଇ ଖୁସି ମନାଉଛନ୍ତି । ପୀଠରେ ମା ଗଡ଼ଚଣ୍ଡିଙ୍କ ମନ୍ଦିର ଶୋଭା ପାଉଛି । ଏହି ମନ୍ଦିରରେ ଯୁବ ପରିଷଦ ପକ୍ଷରୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପ୍ରତିବର୍ଷ ଡ଼ିସେମ୍ବର, ଜାନୁୟାରୀ, ମକର ଏବଂ ଦୁର୍ଗାପୂଜା ସମୟରେ ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକ ସେଠାରେ ସମାଗମ ହୋଇଥାଏ । ଗଡଚଣ୍ଡୀ ଯୁବ ପରିଷଦ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥାଏ । ପରିଷଦ ପକ୍ଷରୁ ପୀଠ ସ୍ଥଳୀର ଚାରିପଟ ଏବଂ ରାସ୍ତାର ଦୁଇ ପାଶ୍ୱାର୍କୁ ସଫା ସୁତୁରା କରାଯିବା ସହିତ ପର୍ଯ୍ୟଟକ ମାନଙ୍କ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଥାଏ । ଯାହା ଫଳରେ ପୀଠର ୫୦୦ ମିଟର ପର୍ଯ୍ୟନ୍ତ ସଫା ସୁତୁରା ରହିଥାଏ । ଗଡଚଣ୍ଡୀ ପୀଠ ତଳେ ଥିବା ଜଙ୍ଗଲ ଏବଂ ରାସ୍ତାର ଦୁଇ ପାଶ୍ୱର୍ରେ ବଣ ଭୋଜିର ଆସର ମେଲିଥାଏ । କମିଟି ପକ୍ଷରୁ ଗାଡି ପାର୍କି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଉ ଥିବାରୁ ଡ଼ିସେମ୍ବର ଓ ଜାନୁୟାରୀ ମାସରେ ହଜାର ହଜାର ପର୍ଯ୍ୟଟକ ସେଠାରେ ପହଞ୍ଚି ମା ଗଡ଼ଚଣ୍ଡିଙ୍କ ପୀଠରେ ଦର୍ଶନ କରି ଭୋଗ କରିଥାନ୍ତି । ପୀଠର ଉପର ପାହାଡ଼ରେ ବିଭିନ୍ନ ଗୁମ୍ଫା ରହିଛି । ସେଠାରେ ମଧ୍ୟ ବହୁ ପର୍ଯ୍ୟଟକ ଗୁମ୍ପା ଭିତରେ ବସି କିଛି ସମୟ ଖୁସି କାଟି ଥାନ୍ତି । ୧/୧/୧୯୯୮ ମସିହାରୁ ଉକ୍ତ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା କରାଯାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅନୁଦାନ ଯୋଗାଇ ଦିଆଯାଇ ନାହିଁ । କେବଳ ଏକ ସାଇନବୋର୍ଡ ଲଗାଇ ପର୍ଯ୍ୟଟକ ବିଭାଗ ତାର କାମ ସାରିଦେଇଛି । ପର୍ଯ୍ୟଟକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପିଣ୍ଡି, ଶୌଚାଳୟ ଆଦିର ଆବଶ୍ୟକତା ଥିବାବେଳେ ପର୍ଯ୍ୟଟନ ବିଭାଗ ଏନେଇ କୌଣସି ପଦକ୍ଷେପ ନେଇପାରିନି । ଏବେ ପରିଷଦ ପକ୍ଷରୁ ଲୋକମାନଙ୍କୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ବନ ବିଭାଗ ପକ୍ଷରୁ ସେଠାରେ ଏକ ଗେଷ୍ଟ ହାଉସ୍ ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ପୀଠର ଉନ୍ନତି ପାଇଁ କୌଣସି ସହଯୋଗର ହାତ ବଢ଼ାଇ ନାହାନ୍ତି । ବହୁ ଦାବିପରେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୁନ୍ଦରାପାଳ ଛକ ଠାରୁ ଗଡ଼ଚଣ୍ଡି ପୀଠ ପର୍ଯ୍ୟନ୍ତ ପିଚୁ ରାସ୍ତା ସମ୍ପୁର୍ଣ୍ଣ ହୋଇଛି । କମିଟି ଦ୍ୱାରା ପୀଠ ସ୍ଥଳିଟିକୁ ସ୍ୱଚ୍ଛତା ବଜାୟ ରଖିବା ସହିତ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଦାଇତ୍ୱ ବୁଝୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠ ସ୍ଥଳିର ଉନ୍ନତି କରଣ କରାଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ଓ ପର୍ଯ୍ୟଟନ ସ୍ଥଳୀକୁ ଉନ୍ନତି କରଣ କରି ଉଜ୍ଜ୍ୱଳ ଲାଇଟ୍ ବ୍ୟବସ୍ଥା କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି ।
ଏ ସଂପର୍କରେ ପର୍ଯ୍ୟଟକ ମାନେ ଯାହା କହନ୍ତି, ରାଜେଶ ପଣ୍ଡା (ପର୍ଯ୍ୟଟକ, ଭଦ୍ରକ) – ନଭେମ୍ବର ମାସ ଠାରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । କରୋନା କଟକଣା ପାଇଁ ଦୁଇବର୍ଷ ହେଲା ପର୍ଯ୍ୟଟକ ମାନେ ଆସୁ ନଥିବାବେଳେ ଚଳିତବର୍ଷ ଭଲ ସମାଗମ ହୋଇଛି । କିନ୍ତୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେମାନଙ୍କ ପାଇଁ କିଛି ନୁଆକରି ପଦକ୍ଷେପ ନିଆଗଲେ ପର୍ଯ୍ୟଟକ ମାନେ କିଛିସମୟ ବୁଲାବୁଲି କରି ପ୍ରାକୃତିକ ଶୋଭାରାଜିର ଭରପୁର ମନଭରି ଉପଭୋଗ କରିପାରନ୍ତେ ।
ପ୍ରକାଶ ସେନାପତି -ପର୍ଯ୍ୟଟକ, ସୋର – ଗଡଚଣ୍ଡୀ ପୀଠର ସୌନ୍ଦର୍ଯ୍ୟମୟ ପରିବେଶ ଅବର୍ଣ୍ଣନୀୟ । ଯାହାକି ଆମେ ଗଡଚଣ୍ଡୀ ପୀଠ ବୁଲିବାପରେ ଦେଖିଲୁ । ଏଠାରେ ପର୍ଯ୍ୟଟକ ମାନେ ପ୍ରାକୃତିକ ଶୋଭାରାଜିର ଆନନ୍ଦ ନେଇଥାନ୍ତି । ପିକନିକ ରୁତୁରେ ଭୋଜିଭାତ କରିବା ପାଇଁ ଦୁର ଦୁରାନ୍ତରୁ ପର୍ଯ୍ୟଟକ ମାନେ ଏଠାକୁ ଆସୁଥିଲେବି ସେପରି କିଛି ସୁବିଧା ପାଇପାରୁ ନାହାନ୍ତି । ବସିବାକୁ ଉପଯୁକ୍ତ ସ୍ଥାନ ମିଳୁନାହିଁ । ଯଦି ଗଛମୁଳ ମାନଙ୍କରେ ଅନେକ ଗୁଡିଏ ପକ୍କାପିଣ୍ଡି ନିର୍ମାଣ କରାଯାଆନ୍ତା ତେବେ ପର୍ଯ୍ୟଟକ ମାନେ ଖୁସିରେ ତା ଉପରେ ବସି ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ସହିତ ବଣଭୋଜିର ମଜା ଉଠାନ୍ତେ । ବାଦଲ କୁମାର ସାହୁ- ପର୍ଯ୍ୟଟକ, କେନ୍ଦୁଝର – ଆମେ ପ୍ରଥମଥର ପାଇଁ କଟକରୁ ଏଠାକୁ ଆସିଛୁ । ଏଠାକର ପ୍ରାକୃତିକ ପରିବେଶ ବେଶ ମନୋମୁଗ୍ଧକର । ଆଜି ଏଠାରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହୋଇଯାଇଥିବାରୁ ବଣଭୋଜି ପାଇଁ ସ୍ଥାନ ମିଳିଲାନି । ଟିକେ ଦୁରରେ ହେଲେ ମଧ୍ୟ ଭୋଜି କରୁଛୁ । କିନ୍ତୁ ପାନୀୟଜଳର କିଛି ବ୍ୟବସ୍ଥା ନଥିବାବେଳେ ଏଂଶକାର ପରିବେଶକୁ ଆହୁରି ଆକର୍ଷଣୀୟ କରାଗଲେ ପର୍ଯ୍ୟଟକ ମାନେ ଅଧିକ ଆକୃଷ୍ଟ ହୁଅନ୍ତେ । ପର୍ଯ୍ୟଟକ ମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନଥିବାରୁ ସେମାନେ ଅସୁବିଧା ଭୋଗୁଛନ୍ତି, ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହାକୁ ସମାଧାନ କରିବ ବୋଲି ସେ ଆଶା କରିଛନ୍ତି ।
ବିକାଶ ବିଶ୍ୱାଳ, ସାମ୍ବାଦିକ, ହାଟଡିହି- ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହା ଏକ ପର୍ଯ୍ୟଟନ କ୍ଷେତ୍ର ବୋଲି କେବଳ କାଗଜ କଲମରେ ସ୍ଥାନିତ ହୋଇଛି । ବାସ୍ତବରେ ପର୍ଯ୍ୟଟନ ବିଭାଗର ଆଢ଼ୁଆଳରେ ଏହା ରହିଯାଇଥିବା ଆମକୁ ଲାଗୁଛି । ନଚେତ ଜିଲ୍ଲାର ଅନ୍ୟ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଅନୁଦାନ ଯୋଗାଇଦେଉଥିବାବେଳେ ଏଠାରେ ଟଙ୍କାଟିଏବି ମିଳି ପାରୁନି । ଫଳରେ ଅବହେଳିତ ଅବସ୍ଥାରେ ଏହି ପର୍ଯ୍ୟଟନ କ୍ଷେତ୍ରଟି ରହିଛି । ଯାହା କେବଳ ସ୍ଥାନୀୟ କିଛି ବ୍ୟକ୍ତି ବିଶେଷଙ୍କ ସହଯୋଗ କ୍ରମେ ଯେତିକି ସମ୍ଭବ ତାହାହିଁ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ