ଧାନ କିଣାରେ ସ୍ୱଚ୍ଛତା ଦାବିରେ ଚାଷୀଙ୍କ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ପଞ୍ଜୀକୃତ ଚାଷୀଙ୍କ ଖରିଫ ଧାନ ବିକ୍ରିରେ ସରକାରୀ ଧାନ ସଂଗ୍ରହ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଓ ବିକ୍ଷୋଭ ଆଦି ଅନୁଷ୍ଠିତ ହେଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ନବନିର୍ମାଣ କୃଷକ ସଂଗଠନ ଓ ଚାଷୀ ଏକତା ମଞ୍ଚର ମିଳିତ ସହଯୋଗରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ କୃଷକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗଦେଇ ଧାନ କିଣାରେ ସରକାରଙ୍କ ପକ୍ଷରୁ ଚାଲିଥିବା ଚାଷୀ ଶୋଷଣ ବିରୋଧରେ ତୀବ୍ର ସମାଲୋଚନା କରିଥିଲେ । ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଧାନମଣ୍ଡି ଖୋଲିବା, ସମସ୍ତ ସେବା ସମବାୟ ସଂସ୍ଥା ଦ୍ୱାରା ଚାଷୀଙ୍କଠାରୁ ଧାନ କିଣିବାର ସୁବନ୍ଦୋବସ୍ତ କରିବା, ଧାନର ସରକାରୀ ଧାର୍ଯ୍ୟ ଦର କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କାରେ କିଣିବା, କଟନିଛଟନି ବନ୍ଦ କରିବା, ଟୋକନ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଅନ୍ୟ ରାଜ୍ୟର ବେପାରୀ ଓ ଦଲାଲଙ୍କ ସମେତ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥାଇ ଚାଷୀ ଶୋଷଣର ମୁଖ୍ୟ ଭୂମିକା ତୁଲାଉଥିବା ସମବାୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସ୍ୱାମୀନାଥନ କମିଶନରଙ୍କ ସୁପାରିଶ ଅନୁଯାୟୀ ଉତ୍ପାଦିତ ଫସଲ ଖର୍ଚ୍ଚର ଦେଢ଼ଗୁଣା ପ୍ରଦାନ ସହ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ଓ ଜିଲ୍ଲାର ପ୍ରତି ବ୍ଲକ୍‌ରେ ଏକାଧିକ ଶୀତଳ ଭଣ୍ଡାର ପ୍ରତିଷ୍ଠା ବକ୍ତାମାନେ ଦାବି କରିଛନ୍ତି । ବିଧାନଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବିଭିନ୍ନ ପୂର୍ବତନ ବିଧାୟକ ଚତ୍ତରଂଜନ ଷଡ଼ଙ୍ଗୀ, ସଂଗଠରୁ ଅରୁଣ ଜେନା, ବିପ୍ଳବ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ସଂଗ୍ରାମ କୁମାର ଜେନା, ସୁରଜିତ୍ ପୋଥାଳ, ଦୟାନିଧି ପଣ୍ଡା, ପ୍ରଦୀପ ସ, ପ୍ରଜ୍ଞା ପାରମିତା ବିଶ୍ୱାଳ, ବେଣୁଧର ବାରିକ, ପ୍ରତିମା ପଣ୍ଡା, ଜତିନ୍ ପାତ୍ର ଓ ଭାଗ୍ୟଧର ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କୃଷକ ବିରୋଧି ନୀତିର ଦୃଢ଼ ସମାଲୋଚନା କରିଥିଲେ ।ଏହି ଅବସରରେ ସଂଗଠନର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ କୃଷକ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିକ୍ଷୋଭ ସ୍ଥଳରେ କର୍ମକର୍ତ୍ତାମାନେ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ