ରୟାଲ ବ୍ୟାଡ଼ମିଣ୍ଟନ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ରୟାଲ ବ୍ୟାଡ଼ମିଣ୍ଟନ କ୍ଳବ ପକ୍ଷରୁ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ପୁଲିସ ଲାଇନ ସ୍ଥିତ ସାଇମନ କଲୋନୀରେ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ସବିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳାଳିଙ୍କ ପ୍ରତିଭା ବିକାଶରେ ସହାୟକ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ଆୟୋଜକଙ୍କୁ ସାଧୁବାଦ ଜଣାଇବା ସହ ଶ୍ରୀମତୀ ସାହୁ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । କାଉନସିଲର ରଞ୍ଜିତା ମହାପାତ୍ର ଓ ଦେବାଶିଷ ସିଂ, ଯୁବ ସଂଗଠକ ଭାଗବତ ସାହୁ, ସନ୍ତୋଷ ଦାସ, ଇତିଶ୍ରୀ ଦତ୍ତ, ସୋନାଲି ସାହା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆୟୋଜକଙ୍କୁ ପ୍ରଶଂସା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ରୟାଲ ବ୍ୟାଡ଼ମିଣ୍ଟନ କ୍ଲବର ସଭାପତି ଜିଡିଏନ ସାଇମନ, ସମ୍ପାଦକ ମେନୁଆଲ ସାଇମନ ଓ କୋଷାଧ୍ୟକ୍ଷ ଅଜିତ କୁମାର ଦତ୍ତ ପ୍ରମୁଖ ଏଥିରେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ୫ଦିନିଆ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଓ ଦ୍ୱିତୀୟ ସଂଧ୍ୟାରେ ଜିଲାର ବିଭିନ୍ନ ବ୍ଲକର ଖେଳାଳି ଅଂଶଗ୍ରହଣ କରୁଥିବା ବେଳେ ତୃତୀୟ ସଂଧ୍ୟାରେ ୪୦ ବର୍ଷ ଊର୍ଦ୍ଧ୍ୱ ବୟସର ଭେଟେରାନ ଖେଳାଳି ଏବଂ ଶେଷ ଦୁଇ ସଂଧ୍ୟା ରାଜ୍ୟର ବିଭିନ୍ନ ଜିଲାରୁ ଖେଳାଳିମାନେ ଅଂଶଗ୍ରହଣ କରିବେ ବୋଲି କ୍ଲବର କର୍ମକର୍ତ୍ତାମାନେ କହିଛନ୍ତି । ରାଜ୍ୟସ୍ତରୀୟ ଚେୟାର ଅମ୍ପେୟାର ରାଜ କୁମାର ଗାଙ୍ଗୱାର ଓ ନୀଳମାଧବ ଦାସ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରୁଛନ୍ତି । ସ୍ୱପ୍ନେଲ ସାଇମନ, ପ୍ରତିଦ୍ୱନ୍ଦ୍ୱୀ ଦତ୍ତ, ଅର୍ପିତ ସାଇମନ ପ୍ରମୁଖ ମ୍ୟାଚ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି ।


