ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଉତ୍ତ୍ୟକ୍ତ ଲୋକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହତ୍ୟାକରୀକୁ ୧୦ଦିନ ଭିତରେ ଗିରଫ କରିବାକୁ ପୁଲିସ ଓ ପ୍ରଶାସନ ପ୍ରତିଶୃତି ଦେବାପରେ ଯାଇ ଗତକଲି ଠାରୁ ଢ଼େଙ୍କା ଛକ ଠାରେ ଚାଲିଥିବା ରାସ୍ତାରୋକ ଆଜି ହଟିଛି । ଖବରରୁ ଜଣାଯାଇଛି ଯେ ପୁରୁଣାପାଣି ଗ୍ରାମର ଶିକ୍ଷକ ଗୋବିନ୍ଦ ହୋ ଙ୍କୁ ଝଣଝଣା ନିକଟସ୍ଥ ଢ଼େଙ୍କାଛକଠାରେ କେହି ହତ୍ୟାକରି ପକାଇ ଦେଇଥିଲା । ଗତ ମଙ୍ଗଳବାର ଅପରାହ୍ନରେ ତାଙ୍କର ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବା ସହ ପ୍ରଚୁର ରକ୍ତଶ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ପୁଲିସକୁ ଖବର ମିଳିବା ପରେ ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା, ସୋସୋ ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ରବିବାର କିମ୍ବା ସୋମବାର ରାତିରେ କେହି ତାଙ୍କୁ ହତ୍ୟା କରିଥିବା ଗ୍ରାମବାସୀମାନେ ସନ୍ଦେହ କରିଥିଲେ । ଏନେଇ ଗୋବିନ୍ଦଙ୍କ ପତ୍ନୀ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ପୁଲିସ ଏକ ମାମଲା ରୁଜୁକରି ଶବକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ହୋଇ ଘରକୁ ଆସିବାପରେ ଗତକାଲି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବାସହ ଲୋକମାନେ ଗତକାଲି ଦିନ ୧୨ଟା ବେଳୁ ହତ୍ୟାକରୀକୁ ଗିରଫ ଦାବିରେ ଢ଼େଙ୍କା ଛକ ନିକଟରେ ରାସ୍ତାରୋକ କରିଥିଲେ । ପୁଲିସ ଯେତେପ୍ରକାର ବୁଝା ସୁଝା କରିଥିଲେବି ସେମାନେ ରାସ୍ତାରୋକରୁ ହଟି ନଥିଲେ । ରାତିସାରା ଲୋକମାନେ ଶବ ସହିତ ବସିରହିବା ପରେ ଆଜି ସକାଳ ୧୦ଟାବେଳେ ଏସଡିପିଓ ବିଦ୍ୟୁତ ପଣ୍ଡାଙ୍କ ସହ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ସମାଜସେବୀ ଅଲେଖ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ସହିତ ୧୦ଦିନ ଭିତରେ ହତ୍ୟାକାରୀକୁ ଚିହ୍ନଟ କରି ଗିରଫ କରିବାକୁ ପ୍ରତିଶୃତି ଦେବାପରେ ଲୋକମାନେ ରାସ୍ତାରୋକରୁ ହଟିଯାଇଥିଲେ ।