ଯୁବ ପିଢୀଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା, ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିକସିତ ଭାରତଯୁବ ନେତୃତ୍ୱ ସଂଳାପ- ୨୦୨୭ ଆୟୋଜିତ ହେଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ମାଇଁ ଭାରତ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି ସଂଳାପ ମାଧ୍ୟମରେ ଯୁବମାନଙ୍କୁ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ସୁଯୋଗ ମିଳିବ। ଏହାର ପ୍ରଥମ ପର୍ଯ୍ୟାୟ ଭାବେ ବିକଶିତ ଭାରତ କୁଇଜ ଆୟୋଜିତ ହେଉଛି। ଏହା ଏକ ଜାତୀୟ ସ୍ତରର ଅନଲାଇନ୍ କୁଇଜ୍ ଯାହା ମାଇଁ ଭାରତ ପୋର୍ଟାଲ୍ ମାଧ୍ୟମରେ ବିଭିନ୍ନ ଭାଷାରେ ଆୟୋଜିତ ହେଉଛି ଓ ଯୋଗ୍ୟ ଯୁବମାନେ ବ୍ୟକ୍ତିଗତ ଭାବେ ଏଥିରେ ଅଂଶଗ୍ରହଣ କରିପାରିବେ। କୁଇଜ୍ରେ ଚୟନିତ ଅଂଶଗ୍ରହଣକାରୀମାନେ ପରବର୍ତ୍ତୀ ବିକଶିତ ଭାରତ ଏସେ ଚ୍ୟାଲେଞ୍ଜ ପର୍ଯ୍ୟାୟକୁ ଯିବେ।୧୭ ଅଗଷ୍ଟ ୨୦୨୬ ସୁଦ୍ଧା ୧୫ରୁ ୨୯ ବର୍ଷ ବୟସର ଯୁବକ/ଯୁବତୀ ଏଥିରେ ଅଂଶଗ୍ରହଣ କରିପାରିବେ। ମାଇଁ ଭାରତ ପୋର୍ଟାଲ୍ରେ ପୂର୍ବରୁ ପଞ୍ଜୀକୃତ ଥିବା ଯୁବମାନଙ୍କୁ ପୁନର୍ବାର ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ ଓ ଅନ୍ୟ ଯୋଗ୍ୟ ଯୁବମାନେ ପୋର୍ଟାଲ୍ରେ ପଞ୍ଜିକରଣ କରି ଏହି ପ୍ରକ୍ରିୟାରେ ଯୋଗଦେଇପାରିବେ। ବର୍ତ୍ତମାନ ବିକଶିତ ଭାରତ କୁଇଜ୍ ୧୭ ଅଗଷ୍ଟରୁ ୩୦ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ତେଣୁ ଜିଲ୍ଲାର ସମସ୍ତ ଯୋଗ୍ୟ ଯୁବକ/ଯୁବତୀଙ୍କୁ ଏହି ସମୟସୀମା ମଧ୍ୟରେ କୁଇଜ୍ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି। ଏହି କୁଇଜ୍ ମାଧ୍ୟମରେ ଯୁବମାନେ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ଆଗକୁ ବଢ଼ିବାର ସୁଯୋଗ ପାଇପାରିବେ। କୁଇଜ୍ ପରେ ଚୟନିତ ଯୁବମାନେ ୫୦୦ ଶବ୍ଦର ବିକଶିତ ଭାରତ ଏସେ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ଶ୍ରେଷ୍ଠ ୫୦ଟି ନିବନ୍ଧକୁ ଜିଲ୍ଲା ଚମ୍ପିୟନସିପ୍ର ପିପିଟି ପର୍ଯ୍ୟାୟ ପାଇଁ ଚୟନ କରାଯିବ। ସେଠାରୁ ପ୍ରତ୍ୟେକ ଜିଲ୍ଲାର ଶ୍ରେଷ୍ଠ ଦୁଇଜଣ ପ୍ରସ୍ତୁତକାରୀ ରାଜ୍ୟ ସ୍ତର ପାଇଁ ଯୋଗ୍ୟତା ହାସଲ କରିବେ। ରାଜ୍ୟ ସ୍ତରରେ ଚୟନିତ ଯୁବମାନେ ନିଜର ଚିନ୍ତାଧାରା ଓ ପ୍ରସ୍ତୁତି ଏକ ଜୁରି ସମ୍ମୁଖରେ ଉପସ୍ଥାପନ କରିବେ। ରାଜ୍ୟ ପ୍ରଦର୍ଶନ ଆଧାରରେ ଜାତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ ଦଳ ଚୟନ କରାଯିବ। ଏହା ମାଧ୍ୟମରେ ବିଭିନ୍ନ କ୍ଷେତ୍ରର ପ୍ରତିଭାବାନ ଯୁବମାନେ ନିଜର ଦକ୍ଷତା ପ୍ରଦର୍ଶନର ସୁଯୋଗ ପାଇପାରିବେ। ଜିଲ୍ଲାର ଯୋଗ୍ୟ ଯୁବମାନଙ୍କୁ ବିକଶିତ ଭାରତ କୁଇଜ୍ରେ ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରି ଏହି ଜାତୀୟ ଯୁବ ମଞ୍ଚର ଅଂଶ ହେବାକୁ ଅନୁରୋଧ କରାଯାଇଛି ଓ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ମାଇଁ ଭାରତ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଯୁବ ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।


