ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା।ଆସିଛି ବଡ଼ ଦୁଃଖଦ ଖବର। ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଜଣେ ପୁଲିସ୍ ଏଏସ୍ଆଇଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ନବ ଦାସ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଶେଷ ନଃଶ୍ୱାସ ତ୍ୟାଗ କରିଛନ୍ତି।ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ତାଙ୍କ ଛାତିର ବାମ ପାର୍ଶ୍ୱରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।ଶ୍ରୀ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟରେ ଏଏସ୍ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲେ। ସେ ମନ୍ତ୍ରୀଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ଜଣାପଡ଼ିନି। ଘଟଣା ପରଠାରୁ ପୁଲିସ୍ ତାଙ୍କୁ ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ବ୍ୟକ୍ତିଗତ ଆକ୍ରୋଶରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗୁଳି ମାରିଥିବା ପୁଲିସ୍ କର୍ମଚାରୀ ବାଇପୋଲାର ଡିଜ୍ଅର୍ଡର ଭଳି ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହିତ ନିଜେ ଆପୋଲୋ ହସ୍ପିଟାଲ୍ରେ ପହଞ୍ଚି ନବ ଦାସଙ୍କୁ ଦେଖି ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ମଧ୍ୟ ହସ୍ପିଟାଲ୍ରେ ପହଞ୍ଚି ନବ ଦାସଙ୍କୁ ଦେଖିଥିଲେ। ଏହାଛଡ଼ା ଡାକ୍ତରଖାନା ବାହାରେ ବିଜେଡିର ବହୁ ନେତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା।