ଡେଙ୍ଗାପଦରରେ ହାତୀ ଆତଙ୍କ; ମଣ୍ଡିକୁ ଯିବା ପୂର୍ବରୁ ହାତୀ ମୁହଁରେ ଚାଷୀର ଧାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବର୍ଷ ସାରା କଠିନ ପରିଶ୍ରମ କରି ଜମିରେ ଧାନ ଗଣ୍ଡାଏ ଆଦାୟ କରି ଚାଷୀ ଚାହିଁ ରହିଥିଲେ ମଣ୍ଡିକୁ ବିକ୍ରୟ କରିବା ପାଇଁ I ମଣ୍ଡିକୁ ଧାନ ବିକ୍ରି କରି ଚାଷୀ ନିଜ ଚଳିବା ପାଇଁ କିଛି ଅର୍ଥ ସଞ୍ଚୟ କରିବା ସହିତ ବର୍ଷ ସାରା କରିଥିବା ଋଣକୁ କିଛି ମାତ୍ରାରେ ସୁଝି ଦେବାର ଲକ୍ଷ୍ୟ ରଖିଥିଲା I କିନ୍ତୁ ମଣ୍ଡିର ଅବହେଳା ଯୋଗୁଁ ଚାଷୀର ଗଚ୍ଛିତ ହୋଇ ରହିଥିବା ଧାନ ହାତୀ ପଲଙ୍କ ଆଧାର ପାଲଟିବା ପରେ ଚାଷୀର ସବୁ ସ୍ଵପ୍ନ ଭାଙ୍ଗି ଯାଇଛି I ଘଟଣା ଘଟିଛି ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତର ଡେଙ୍ଗାପଦର ଗ୍ରାମରେ I ଗତ କାଲି ବିଳମ୍ବିତ ରାତିରେ ଏକ ଚଉଦଟିକିଆ ଜଙ୍ଗଲୀ ହାତୀ ପଲ ଡେଙ୍ଗାପଦର ଗ୍ରାମରେ ଖେଳାଇଛନ୍ତି ଆତଙ୍କ I ହାତୀପଲ ଗ୍ରାମରେ ପଶି ଚାଷୀ ମାନେ ମଣ୍ଡିକୁ ଦେବାକୁ ରଖିଥିବା ଶହେରୁ ଊର୍ଦ୍ଧ୍ୱ ଧାନ ବସ୍ତ ନଷ୍ଟ କରିବା ସହ ବହୁ ଚାଷୀଙ୍କ ଏକର ଏକର ପରିବା ଫସଲ ଉଜାଡ଼ି ଦେଇଚନ୍ତି I ସୂଚନା ପ୍ରକାରେ ଏହି ହାତୀ ପଲ ଗତ କାଲି ରାତି ଦୁଇଟାରେ ଡେଙ୍ଗାପଦର ଗ୍ରାମରେ ପଶି ଗ୍ରାମର ଅର୍ଜୁନ ସ୍ୱାଇଁ ମଣ୍ଡି ପାଇଁ ରଖିଥିବା 80 ରୁ ଉର୍ଦ୍ଧ୍ୱ ବସ୍ତା ଧାନକୁ ନଷ୍ଟ କରିଦେବା ସହିତ ବୃନ୍ଦାବନ ମହାନ୍ତିଙ୍କ ମଧ୍ୟ ଗୁଡ଼ାଏ ଧାନବସ୍ତା ନଷ୍ଟ କରିଦେଇଥିଲେ I ଏହା ଗ୍ରାମର ବହୁ ଚାଷୀଙ୍କ ପରିବା ଫସଲ ମଧ୍ୟ ଦଳି ଚକଟି ନଷ୍ଟ କରିଛନ୍ତି ହାତୀ ପଲ Iଏନେଇ ଗାଙ୍ଗପୁର ବନପାଳ ଜୀବନାନନ୍ଦ ତ୍ରିପାଠି ଏବଂ ବନରକ୍ଷୀ ବିଜ୍ଞାନୀ ବେହେରା ସଦଳବଳେ ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀକୁ ବୁଢାକେନ୍ଦୁ ଜଙ୍ଗଲ ଭିତରକୁ ଘଉଡାଇବା ସହ ଲୋକଙ୍କ କ୍ଷୟ କ୍ଷତିର ଆକଳନ ପାଇଁ ସକାଳୁ ଡେଙ୍ଗାପଦର ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରିଥିଲେ I ଏନେଇ ଯେଉଁ ଚାଷୀ ମାନଙ୍କର ଫସଲ ନଷ୍ଟ ହୋଇଛି ସେମାନେ ତୁରନ୍ତ କ୍ଷତି ପୂରଣ ପାଇଁ ବନବିଭାଗରେ ଆବେଦନ କରିବା ପାଇଁ ବନପାଳ ଶ୍ରୀ ତ୍ରିପାଠି ପରାମର୍ଶ ଦେଇଛନ୍ତି I ତେବେ କିଛିଦିନ ହେବ ହାତୀ ପଲ ଗାଙ୍ଗପୁର,ବିଞ୍ଚଣା,ବୋରୀ, ପାଲକଷଣ୍ଢା ଗ୍ରାମରେ ତାଣ୍ଡବ ଖେଳାଇଥିବା ବେଳେ ପ୍ରଥମଥର ପାଇଁ ଡେଙ୍ଗାପଦର ଗ୍ରାମରେ ପଶିଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ଛନକା ପଶିଛି I ବିଶେଷ କରି ମଣ୍ଡି ଅବହେଳା ଯୋଗୁଁ ଯେଉଁ ଚାଷୀ ମାନଙ୍କ ଧନ ଗଚ୍ଛିତ ହୋଇ ରହିଛି ଧାନର ସୁରକ୍ଷା ନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି I ଏନେଇ ଗୋବରା ସମିତିସଭ୍ୟ ବିଭୂପାଦ ଜେନା ଡେଙ୍ଗାପଦର ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀଙ୍କୁ ସାନ୍ତ୍ୱନା ଦେବା ସହିତ ଖୁବ୍ ଶୀଘ୍ର ମଣ୍ଡି ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ କିଣିବା ନିମନ୍ତେ ପ୍ରଶାସନକୁ ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତି I


