ରିଲିଫ୍ ପାଣ୍ଠିକୁ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହାୟତା
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଗଠିତ ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ଏପର୍ଯ୍ୟନ୍ତ ୬୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ମିଳିଛି। ଏହି ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବିପତ୍ତି ସମୟରେ ସହଯୋଗର ହାତ ବଢ଼ାଇଥିବା ସମସ୍ତ ଦାତା, ଅନୁଷ୍ଠାନ ଓ ସହୃଦୟ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆସନ୍ତା ୧୪ ତାରିଖ ଶିଶୁ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅର୍ଣ୍ଣବ ରିଲିଫ୍ ପାଣ୍ଠିରୁ ବନ୍ୟା ପ୍ରଭାବିତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖାତା, କଲମ ସମେତ ବିଭିନ୍ନ ଶିକ୍ଷା ଉପକରଣ ବଣ୍ଟନ କରାଯିବ। ପ୍ରଶାସନିକ ଅଧିକାରୀମାନେ ବନ୍ୟାଞ୍ଚଳରେ ପହଞ୍ଚି ନିଜ ହାତରେ ଏହି ସାମଗ୍ରୀ ବଣ୍ଟନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଦୀପାବଳି ଅବସରରେ ଜିଲ୍ଲାର ୨୦ ହଜାରରୁ ଊର୍ଦ୍ଧ୍ୱ ବନ୍ୟା ବିପନ୍ନ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୀପାବଳି ସହାୟତା କିଟ୍ ପ୍ରଦାନ କରାଯାଇଥିଲା। ସେହିପରି ଜିଲ୍ଲାପାଳଙ୍କ ଆହ୍ୱାନକ୍ରମେ ଜିଲ୍ଲାର ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ନିଜର ଗୋଟିଏ ଦିନର ଦରମା ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ଦାନ କରିଥିଲେ।


