ଶିକ୍ଷାବିଭାଗ ପକ୍ଷରୁ ଆସିକାରେ ବନ୍ୟା ବିପନ୍ନ ବିଦ୍ୟାର୍ଥୀଙ୍କୁ ନୁଆଁ ପାଠ୍ୟପୁସ୍ତକ ବଣ୍ଟନ
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ୯ଟି ଉଚ୍ଚ ବିଦ୍ୟାଳୟରେ ନବମରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ବନ୍ୟାବିପନ୍ନ ବିଦ୍ୟାର୍ଥୀଙ୍କୁ ନୁଆଁ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ଗତ ଅକ୍ଟୋବର ମାସ ୨୯ ତାରିଖରେ ଆସିକା ଅଞ୍ଚଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ବିଦ୍ୟାର୍ଥୀମାନଙ୍କ ପାଠ୍ୟପୁସ୍ତକ ବନ୍ୟାପାଣିରେ ଭିଜି ନଷ୍ଟ ହୋଇଯାଇଥିଲା । ବନ୍ୟା ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଠପଢାରେ ଯେପରି ବାଧା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ରିଷିପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଦେବଭୂମୀ ଗ୍ରାମ ପଞ୍ଚାୟତ ନୋଡାଲ୍ ହାଇସ୍କୁଲ, କେ.ରାୟସିଂହପୁର ସ୍ଥିତ ବାଉରୀବନ୍ଧୁ ହାଇସ୍କୁଲ, ଆସିକା ସ୍ଥିତ ପିଏମ୍ଶ୍ରୀ ହରିହର ହାଇସ୍କୁଲ, ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆସିକା ଏନ୍ଏସି ହାଇସ୍କୁଲ, ନଳବଣ୍ଟା ପଞ୍ଚାୟତ ନୋଡାଲ୍ ହାଇସ୍କୁଲ, ମଙ୍ଗଳପୁର ହାଇସ୍କୁଲ, କିଶୋରଚନ୍ଦ୍ରପଲ୍ଲୀ ସ୍ଥିତ ସୁଦର୍ଶନ ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ବନ୍ୟାବିପନ୍ନ ବିଦ୍ୟାର୍ଥୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୧ ହଜାରରୁ ଉର୍ଦ୍ଧ୍ୱ ନୁଆଁ ପାଠ୍ୟପୁସ୍ତକ ଆସିଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ପରାମର୍ଶକ୍ରମେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଏବିଇଓ ଭଂଜ ବେହେରା ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା ବନ୍ୟା ପ୍ରଭାବିତ ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ନୁଆଁ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଜାରି ରଖିଥିବା ଜଣାପଡିଛି । ବନ୍ୟାବିପନ୍ନ ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ ନୁଆଁ ପାଠ୍ୟପୁସ୍ତକ ବଣ୍ଟନ ପଦକ୍ଷେପକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଏବଂ ଉଚ୍ଚ ପ୍ରଶଂସା କରାଯାଉଥିବା ଜଣାପଡିଛି । ଆସିକା ଅଞ୍ଚଳର ବନ୍ୟାବିପନ୍ନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ନବମ ଓ ଦଶମ ଶ୍ରେଣୀର ନୁଆଁ ପାଠ୍ୟପୁସ୍ତକ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇସାରିଥିଲା ବେଳେ ଆଗାମୀ କିଛି ଦିନ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବନ୍ୟା ପ୍ରଭାବିତ ବିଦ୍ୟାର୍ଥୀଙ୍କ ପାଇଁ ମଧ୍ୟ ନୁଆଁ ପାଠ୍ୟପୁସ୍ତକ ଆସିବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡିଛି ।


