ମହେନ୍ଦ୍ରଗିରିରେ ଶିବରାତ୍ର ପାଳନ ପୂର୍ବକ ସମସ୍ତ ପ୍ରସ୍ତୁତିର ନିରୀକ୍ଷଣ କଲେ ଜିଲ୍ଲାପାଳ ଓ ଏସ୍ପି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଚଳିତ ବର୍ଷ ମହାଶିବରାତ୍ରୀ ଧୂମଧାମରେ ପାଳନ କରାଯିବ । ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜାଗର ଯାତ୍ରା ହେବ । ମହେନ୍ଦ୍ରଗିରିରେ ମହା ଶିବରାତ୍ରି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହେବାର ରହିଅଛି । ବିଗତ ଦୁଇବର୍ଷ କରୋନା କଟକଣା ଯୋଗୁଁ ମହେନ୍ଦ୍ରରେ ଜାଗରଯାତ୍ରା କଟକଣାରେ ପାଳିତ ହୋଇଥିଲା । ହେଲେ ଚଳିତ ଥର ବହୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭକ୍ତମାନେ ଯିବା ଆସିବା ରାସ୍ତାର ମରାମତି, ସୁଲଭ ଦରରେ ପ୍ରସାଦ ବିକ୍ର ପାଇଁ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ତା, ଆଲୋକିକରଣ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା ଆଦି କରାଯାଉଛି । ଏଥିପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍. କୁମାର ମହେନ୍ଦ୍ରଗିରି ଗସ୍ତ କରି ସମସ୍ତ ପ୍ରସ୍ତୁତିର ତଦାରଖ ତଥା ନିରୀକ୍ଷଣ କରିବା ସହ ଶିବରାତ୍ର ପାଖେଇ ଆସୁଥିବାରୁ ତୁରନ୍ତ କାର୍ଯ୍ୟଗୁଡିକ ସମାପନ କରିବାପାଇଁ ପରାମର୍ଶ ଦେଇଥିବାର ଜଣାପଡିଛି । ମୁଖ୍ୟକରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରି ଆର୍ଡବ୍ଲ୍ୟୁଏସ୍ଏସ୍ ଅଧିକାରିଣୀଙ୍କୁ ତୁରନ୍ତ ସମସ୍ତ ବନ୍ଦବସ୍ତକୁ ଚୁଡାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର ଜଣାଯାଇଛି । ସେହିପରି ୨୪ଘଣ୍ଟା ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ କରି ପ୍ରବଳ ଜନସମାଗମ ଦୃଷ୍ଟିକୁ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ । ଏଥି ନିମନ୍ତେ ଏସ୍ପି ସ୍ୱାତୀ ଏସ୍. କୁମାର ମହେନ୍ଦ୍ରଗିରିର ଭୈଗଳିକ ସ୍ଥିତିକୁ ନେଇ କିଭଳି ସୁରକ୍ଷା କରିବେ ତାହାର ନିରୀକ୍ଷଣ କରିଛନ୍ତି । ସେହିପରି ସମସ୍ତ ସୁବନ୍ଦୋବସ୍ତ ଲାଗି ରାୟଗଡ ବିଡିଓ ରାଜା ରଂଜିତ ବଳଙ୍କୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।


