ଚତୁର୍ଥ ଲୋକକଳା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ରାଜାରାମ ମଠ ପରିସରରେ କୋଣାର୍କ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ଆନୁକୁଲ୍ୟରେ ଅନୁଷ୍ଠିତ ଲୋକ କଳା ମହୋତ୍ସବର ଆଜି ଥିଲା ଦ୍ଵିତୀୟ ଦିବସ। ଏହି ଦ୍ବିତୀୟ ଦିବସରେ ଅତିଥି ଭାବରେ ପଦ୍ମଶ୍ରୀ ପ୍ରସିଦ୍ଧ ଘୋଡ଼ାନାଚ ଗୁରୁ ଉଚ୍ଛବ ଚରଣ ଦାସ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ନାଟ୍ୟଚେତନାର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଓ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ ପ୍ରଦୀପ ପ୍ରଜ୍ବଳନ କରି ଦ୍ବିତୀୟ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। ସାମ୍ପ୍ରତିକ ସାମାଜିକରେ ବିଲୁପ୍ତ ଲୋକ କଳାକୁ ଜନମାନସର ଚିତ୍ରପଟ୍ଟରେ ଉଜ୍ଜୀବିତ ରଖିବା ପାଇଁ ଆୟୋଜକର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଅତିଥି ମାନେ କହିଥିଲେ ଶାସ୍ତ୍ରୀୟ ନୃତ୍ୟର ଜନନୀ ହେଉଛି ଲୋକ କଳା। ଏହାର ପ୍ରଚାର ପ୍ରସାର ଦିଗରେ ସାମୁହିକ ପ୍ରଚେଷ୍ଟା ଜାରି ରହିବା ପାଇଁ ଯୁବ ସମାଜ ନିଷ୍ଠାର ସହ କାର୍ଯ୍ୟ କରି ଭବିଷ୍ଯତ ବଂଶଧର ପାଇଁ ଏହାକୁ ବଂଚାଇ ରଖିବା ପାଇଁ ଉଦ୍ୟମ ଅବ୍ୟାହତ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଦ୍ବିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ପଦ୍ମଶ୍ରୀ ପ୍ରସିଦ୍ଧ ଘୋଡ଼ାନାଚ ଗୁରୁ ଉଚ୍ଛବ ଚରଣ ଦାସ ଓ ସାଥି କଳାକାର ମାନଙ୍କ ଦ୍ଵାରା ପରିବେଷିତ ଘୋଡ଼ାନାଚ ଦର୍ଶକ ମାନଙ୍କୁ ବିମୋହିତ କରିବା ସହ ମନ୍ତ୍ର ମୁଗ୍ଧ କରିଥିଲା। ପରେ ରଣପୁରର ପ୍ରସିଦ୍ଧ ଧୁଡୁକୀ ଗୁରୁ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ସାଥି କଳାକାର ମାନଙ୍କ ଦ୍ଵାରା ଧୁଡୁକୀ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନାଟ୍ୟଦିପର ନିର୍ଦ୍ଦେଶକ କାଳନ୍ଦୀ ଚରଣ ସ୍ବାଇଁ ଓ ସହ ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାରଣା ପରିଚାଳନା କରିଥିବା ବେଳେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


