ବଞ୍ଚୋ ବ୍ୟାଙ୍କ ସମ୍ମୁଖରୁ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ଲୁଟିଲେ ୫୦ହଜାର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଲୁଟେରାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ତିନିଦିନ ଭିତରେ ଚାରି ଚାରିଟି ଲୁଟ ପରେ ଆଜି ବଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ଏକ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ୫୦ହଜାର ଲୁଟ ହୋଇଛି । ଖବରରୁ ଜଣାଯାଇଛି ଯେ ସୁନ୍ଦରାପାଳ ଗ୍ରାମର ମଙ୍ଗୁଳୁ ନାଏକ ଓ ତାଙ୍କ ପତ୍ନୀ ମେନକା ନାଏକ ଆବାସ ଯୋଜନା ଟଙ୍କା ଉଠାଇବା ପାଇଁ ବଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇଥିଲେ । ସେଠାରେ ସେ ଆବାସ ଯୋଜନା ଟଙ୍କାରୁ ୪୫ହଜାର ଓ କାଳିଆ ଯୋଜନା ଟଙ୍କାରୁ ୫ହଜାର ଏହିପରି ମୋଟ ୫୦ହଜାର ଟଙ୍କା ଉଠାଇ ବ୍ୟାଙ୍କ ବାହାରକୁ ଆସିଥିଲେ । ସେମାନେ ଚାଲି ଚାଲି ଛେନାପଦିଛକ ପର୍ଯ୍ୟନ୍ତ ଆସିବାପରେ ଗାଡିରେ ସୁନ୍ଦରାପାଳ ଯାଇଥାନ୍ତେ । କିନ୍ତୁ ବ୍ୟାଙ୍କ ଠାରୁ ମାତ୍ର ଦୁଇଶହ ମିଟର ଯାଇଛନ୍ତି ତ ମେନକା ପରିଶ୍ରା କରିବାକୁ ବିଲ ପଟକୁ ଯାଇଥିବାବେଳେ ମଙ୍ଗୁଳୁ ଟଙ୍କା ବ୍ୟାକୁ କାଖରେ ଯାକି ରାସ୍ତା ଉପରେ ଠିଆ ହୋଇଥିଲେ । ଏହି ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି ମଙ୍ଗୁଳୁକୁ ଆନନ୍ଦପୁର ରାସ୍ତା କେଉଁଟା ଓ କେତେ କିଲୋମିଟର ବୋଲି ପଚାରିବା ସହିତ ଟଙ୍କା ବ୍ୟାଗଟିକୁ ଟାଣି ନେଇ ଦ୍ରୁତ ଗତିରେ ଆନନ୍ଦପୁର ପଟକୁ ପଳାଇଥିଲେ । ମଙ୍ଗୁଳୁ ଓ ମେନକାଙ୍କ ପାଟି ଶୁଣି ଲୋକ ଜମା ହୋଇ ଘଟଣା ସମ୍ପର୍କରେ ଜାଣିବାପରେ ଆନନ୍ଦପୁର ପୁଲିସକୁ ସୁଚନା ଦେଇଥିଲେ । ଆନନ୍ଦପୁର ଥାନା ଆଇଆଇସି ଗଗନ ବିଶ୍ୱାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ବଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ଶଖାରେ ବାରମ୍ବାର ଝଗଡାଝାଟି, ଚୋରୀ ଉଦ୍ୟମ, ଡକାୟତି ଆଦି ଘଟଣା ଘଟିବା ପରେବି ବ୍ୟାଙ୍କ କର୍ତ୍ତୁପକ୍ଷ ବ୍ୟାଙ୍କର ସମ୍ମୁଖ ଭାଗରେ ସିସିଟିଭି କ୍ୟାମେରା ଲଗାଉ ନଥିବାରୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆମେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଉଛୁ କିନ୍ତୁ ଜୋନାଲ ଅଡଫିସରୁ କିଛି ନିର୍ଦ୍ଦେଶ ଆସୁନି ବୋଲି ଶାଖା ପରିଚାଳକ କହିଛନ୍ତି । ସେହିପରି ଗତ ଏକ ମାସ ଭିତରେ ଆନନ୍ଦପୁର, ହାଟଡିହି, ମରୈଗାଁ, ଛେନାପଦି ଆଦି ଅଞ୍ଚଳରେ ଏହିପରି ୧୦ରୁ ଉର୍ଦ୍ଧ ଲୁଟ ଘଟଣା ଘଟିଥିଲେବି ପୁଲିସ ଲୁଟେରାଙ୍କ ସମ୍ପର୍କରେ ସାମନ୍ୟତମ ସୁରାକ ପାଇପାରୁନାହିଁ । ଯାହାକି ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ